ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୯) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ପଞ୍ଚାୟତ ର କୁକୁରୁଗୁଡା ଗ୍ରାମ, ଚର୍ତୁଦିଗରେ ପାହାଡ଼ ପର୍ବତ ଘେରି ରହିଥିବା ବେଳେ ଏଠାରେ ପ୍ରାୟ ୧୨୦ ଆଦିବାସୀ ପରିବାର ବସବାସ କରନ୍ତି ।
ରାୟଗଡ଼ା ଜିଲ୍ଲା ର ଆଦିବାସୀ ସଂସ୍କୃତି ଓ ପରମ୍ପରା ର ନିଚ୍ଛକ ଉଦାହରଣ ପାଲଟିଛି ଏହି ଗ୍ରାମଟି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଗ୍ରାମବାସୀ କୈାଣସି ପୂଜା ପର୍ବ ଜାକଜମକରେ ପାଳନ କରିପାରିନଥିଲା ବେଳେ ଏ ବର୍ଷ ବିଘ୍ନ ବିନାଶକ ଗଜାନନ ଗଣେଶଙ୍କ ପୂଜା ସହ ଗଣପର୍ବ ନୂଆଁଖାଇ ମହାଆଡମ୍ବରରେ ପାଳନ କରିଛନ୍ତି । ଗ୍ରାମବାସୀ ମାନେ ନୂଆ ଲୁଗା ପିନ୍ଧିବା ସହ ବିଭିନ୍ନ ପ୍ରକାର ର ପିଠାପଣା ପ୍ରସ୍ତୁତ କରି ଆଦିବାସୀ ମାନଙ୍କର ଇଷ୍ଟ ତଥା ଅକ୍ଷର ବ୍ରହ୍ମ ମାଥାରବନମ୍ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଆଜି ଗଣପର୍ବ ତଥା ଚାଷିମାନଙ୍କ ପର୍ବ ନୂଆଁଖାଇ ।
ଆଜି ଏହି ଆଦିବାସୀ ସମ୍ପ୍ରଦାୟ ନିଜ ଜମିରେ ଉତ୍ପାଦିତ ପ୍ରଥମ ଶଶ୍ୟ, ଫଳ, ମୂଳ, କନ୍ଦା ଇତ୍ୟାଦି ନିଜର ଇଷ୍ଟଦେବୀଙ୍କୁ ପ୍ରଥମେ ସମର୍ପଣ କଲାପରେ ନିଜେ ଖାଇଥାନ୍ତି । ସେ ଯାହାହେଉ ଆଧୁନିକତାର ଚାକତକ୍ୟରେ ନିଜକୁ ହଜାଇ ନଦେଇ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖି ଏହାର ପ୍ରଚାର ପ୍ରସାର କରିବା ପାଇଁ ଚେଷ୍ଟିତ କୁକୁରୁଗୁଡା ଗ୍ରାମବାସୀ ସତରେ ପ୍ରଶଂସା ର ପାତ୍ର । ପୂଜାର୍ଚ୍ଚନା ପରେ ଚାଙ୍ଗୁ ବାଦ୍ୟ ର ତାଳେ ତାଳେ ଆଦିବାସୀ ପୁରୁଷ, ମହିଳା ଓ ପିଲାମାନଙ୍କ ନୃତ୍ୟରେ ଗ୍ରାମ ପରିବେଶ ଦୁଲୁକି ଉଠୁଥିଲା । ସବୁ ଦୁଃଖ କଷ୍ଟକୁ ପଛରେ ପକାଇ ବାଦ୍ୟର ତାଳରେ ସତେ ଯେମିତି ନିଜକୁ ହଜାଇ ଦେଇଥିଲେ ଏହି ଗ୍ରାମବାସୀ ମାନେ ।