ଔଷଧ ଦ୍ୱାରା ଉଭେଇ ଗଲା କ୍ୟାନସର !

0
151
ଔଷଧ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ, (୩୧/୦୮) : ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି । ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି ।

ରେକ୍ଟାଲ୍ କ୍ୟାନସର ର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧ ର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି । ଏହି ଔଷଧ ର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ କରାଯାଇଥିଲା । ଏଥିରେ ୧୮ ଜଣ ଲୋକ ସାମିଲ ଥିଲେ । ସମସ୍ତଙ୍କୁ Dostarlimab ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା । ଟ୍ରାଏଲର ଶେଷରେ ସମସ୍ତ ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ଉଭେଇ ଯାଇଛି ।

ଟ୍ରାଏଲ ପରେ ହୋଇଥିବା ବିଭିନ୍ନ ପରୀକ୍ଷା ବେଳେ ସେମାନଙ୍କ ଶରୀରରୁ କୌଣସି ପ୍ରକାର ର କର୍କଟ ଚିହ୍ନଟ ହୋଇ ନଥିବା ରିପୋର୍ଟରେ ଦାବି କରାଯାଇଛି । ମଣିଷ ଶରୀରରେ ବିକଳ୍ପ ଆଣ୍ଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍‌ ଏହି Dostarlimab ଔଷଧରେ ରହିଛି ।

ପରୀକ୍ଷା ବେଳେ ସମସ୍ତ ୧୮ ଜଣ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । ୬ ମାସ ପରେ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗ ର ଚିହ୍ନବର୍ଣ୍ଣ ମିଳି ନାହିଁ । ନ୍ୟୁୟର୍କ ର ମେମୋରିଆଲ ସ୍ଲୋଅନ କେଟ୍ଟେରିଙ୍ଗ କ୍ୟାନସର ସେଣ୍ଟର ର ଡାକ୍ତର ଲୁଇସ ଏ ଡିଆଜ ଜେ କହିଛନ୍ତି, ସମ୍ଭବତଃ କ୍ୟାନସର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି ।

କର୍କଟ ରୋଗୀମାନଙ୍କୁ ସାଧାରଣତଃ କଠିନ ଚିକିତ୍ସା ପଦ୍ଧତି ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁଥିରେ ଅସ୍ତ୍ରୋପଚାର, କେମୋଥେରାପି ଓ ବିକିରଣ ଭଳି ପଦ୍ଧତି ରହିଛି । ଏହାଦ୍ୱାରା ବେଳେ ବେଳେ ମୂତ୍ରାଶୟ ଓ ସେକ୍ସୁଆଲ ଜଟିଳ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼େ । Dostarlimab ର ଟ୍ରାଏଲରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରାଥମିକ ଭାବେ ଏହି ଔଷଧ ଦିଆଯିବ ବୋଲି କହିଥିଲେ ।

କିନ୍ତୁ ଏହି ଔଷଧ ନେବା ପରେ ସେମାନଙ୍କୁ ଆଉ ଅତିରିକ୍ତ ଚିକିତ୍ସା ର ଆବଶ୍ୟକ ପଡ଼ିନି । ଏହି ଖବର ଏବେ ମେଡିକାଲ ଜଗତରେ ନୂଆ ଆଶା ସଞ୍ଚାର କରିଛି । ତେବେ ଏଥିପାଇଁ ବଡ଼ ଧରଣର ଟ୍ରାଏଲ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।