ବାରଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ପାଞ୍ଚ ବର୍ଷ ହେଲାଣି ଅଙ୍ଗନବାଡି ନିର୍ମାଣ କାର୍ଯ୍ୟ ଶେଷ ହେଉନି

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୨/୦୮): ଗ୍ରାମାଞ୍ଚଳର କମଳମତି ଶିଶୁଙ୍କ ଗୁଣାତ୍ମକ ଶିକ୍ଷାର ଉନ୍ନତି ସହ ଶାରୀରିକ ଓ ମାନସିକର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ରାଜକୋଷରୁ କୋଟି କୋଟି ଟଙ୍କା ଅଟକଳ ବ୍ୟୟ କରି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରୁଛନ୍ତି |

ବିଭିନ୍ନ ଯୋଜନାରେ ପିଲାଙ୍କୁ ଆକୃଷ୍ଟ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କସରତ କରୁଥିବା ବେଳେ ଏହା କେବଳ କାଗଜ କଲମରେ ଚାଲିଥିବା ଜଣାପଡିଛି | ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ସମ୍ମନିତ ଶିଶୁ ବିକାଶ ଅଂଚଳ ଅଧୀନରେ ଥିବା ହଳଦୀକୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ | ଗତ ପାଞ୍ଚ ବର୍ଷ ପୂର୍ବେ ଉକ୍ତ ଗ୍ରାମରେ ସରକାର ପକ୍ଷରୁ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ବ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହେଉନାହିଁ | କିନ୍ତୁ ଦୀର୍ଘ ପାଞ୍ଚ ବର୍ଷ ହେବ ପାଚିକାଙ୍କ ବାରଣ୍ଡାରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଜଣାପଡିଛି |ଅଙ୍ଗନବାଡି କର୍ମୀ ମିନା କୁମାରୀ ସାହୁ କହିବା ଅନୁଯାୟୀ ବର୍ଷାଦିନେ ବାରଣ୍ଡାରେ ଅଳ୍ପ ଯାଗାରେ ପିଲାଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚଲେଇବା ବହୁତ କଷ୍ଟ ହେଉଛି | ସେହିପରି ଗର୍ଭବତୀ, ପ୍ରସୂତି, ରନ୍ଧାଖାଦ୍ୟ, ପ୍ରାକ ସ୍କୁଲ, କିଶୋରୀ ବାଳିକାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି |

ଏହି ବିଷୟକୁ ସ୍ଥାନୀୟ ସରପଞ୍ଚ ବଳରାମ ଖିଲଙ୍କୁ ପଚାରିବାରୁ କ୍ରମାଗତ ଭାବେ ପିଇଓ, ସିଡିପିଓ, ନିର୍ବାହୀଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ କିଛି କାର୍ଯ୍ୟକାରି ହେଉନି ବୋଲି ସୂଚନା ଦେଇଥିଲେ | ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଯଦି ଅତିଶୀଘ୍ର ଶେଷ ନ ହେଲେ ଅଗାମି ଦିନରେ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିବା ବେଳେ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରହଲାଦ ମୁର୍ରଜିଆ, କୃଷ୍ଣ ପ୍ରଧନୀ, ଗୋପୀନାଥ ଖିଲଙ୍କ ସହ ଗ୍ରାମର ଶତାଧିକ ମହିଳା ଅସନ୍ତୋଷ ପ୍ରକାଶ କରିଥିଲେ |

Comments are closed.