ଭିସୁଟ୍ ଶିକ୍ଷକଙ୍କ ଆନ୍ଦୋଳନ-ସରକାରଙ୍କ କଡା ପଦକ୍ଷେପ, ସଂଘ ସଭାପତି ଚାକିରିରୁ ବହିଷ୍କୃତ, ୧୫ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର(ଓଡିଶା ନ୍ୟୁଜ୨୪-୧୦/୦୮): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କୁଳପତି ପ୍ରଫେସର ଅଟଲ ଚୌଧୁରୀଙ୍କ ବହିଷ୍କାର ସମେତ ୧୦ଦଫା ଦାବି ନେଇ ଶିକ୍ଷକ ସଂଘର ୨୫୦ରୁ ଅଧିକ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଗତମାସ ୧୭ତାରିଖରୁ ଆନ୍ଦୋଳନରେ ବସିରହିଛନ୍ତି ।

ଆଜି ଶିକ୍ଷକ ସଂଘ ଆନ୍ଦୋଳନ ପ୍ରତି ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶିକ୍ଷକ ସଂଘ ସଭାପତି ପ୍ରଫେସର ଟି.ଆର ଦାସଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଉପ ସଭାପତି ଡ. ପାଣ୍ଡବ ପାତ୍ର ଓ ସମ୍ପାଦକ ଡ. ପ୍ରଦୀପ ଦାସଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ସରକାର । ଏହାବ୍ୟତୀତ ଧାରଣାରେ ବସିଥିବା ଶିକ୍ଷକଙ୍କ ମଧ୍ୟରୁ ୧୫ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଏହି ନୋଟିସ୍ ପାଇଥିବା ଶିକ୍ଷକମାନେ ଆସନ୍ତା ୧୭ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହାର ଉତ୍ତର ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇବା, ନାମଲେଖା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା, ଛାତ୍ରଛାତ୍ରୀଙ୍କୁ ପାଠ ନ ପଢାଇବା, ବିଶ୍ୱବିଦ୍ୟାଳୟ ପରିବେଶରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା, ଧାରଣାସ୍ଥଳରେ ନାରାବାଜି କରିବା ଆଦି ଅଭିଯୋଗରେ ଶିକ୍ଷକଙ୍କ ବିରୋଧରେ ଏଭଳି କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଅପରପକ୍ଷରେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିବ ନା ପ୍ରତ୍ୟାହୃତ ହେବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ସଂଘ ସମ୍ପାଦକ ଡ. ପ୍ରଦୀପ ଦାସଙ୍କୁ ପଚରାଯିବାରୁ ଆସନ୍ତା ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି ।

Comments are closed.