ଗୋଳାମୁଣ୍ଡା ପୋଲିସ ପକ୍ଷରୁ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଳାମୁଣ୍ଡା(୧୦/୦୮): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ପକ୍ଷରୁ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଗୋଳାମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକମାନେ ଯୋଗଦେଇଥିଲେ ।

ଗୋଳାମୁଣ୍ଡା ଆଇଆଇସି ରଶ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ନେଗି, ଏସ.ଆଇ ପଟେଲ, ଏ.ଏସ.ଆଇ ସାମଲ, ପ୍ରଧାନ ଶିକ୍ଷକ ପ୍ରେମଲାଳ ନାଏକ, ଗୋଳାମୁଣ୍ଡା ସରପଞ୍ଚ ରୁକ୍ମଣୀ ମଙ୍ଗରାଜ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ । ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ କିପରି ପ୍ରତିହତ କରି ହେବ ତଥା ସୁରକ୍ଷା ବ୍ୟବସ୍ଥା କିପରି କଡାକଡି ହେବ ସେ ନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ସେହିପରି ଶିଶୁ ଚାଲାଣ, ଶିଶୁ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥାକୁ କିପରି ରୋକାଯାଇ ପାରିବ ତାହା ଉପରେ ଆଲୋକପାତ କରାଯାଇଥିଲା । ଯଦି କୌଣସି ସ୍ଥାନରୁ ଏପରି ଖବର ଆସେ ତାହା ହେଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏପରି ହେଲେ ଅନେକ ସ୍ଥାନରେ ଶିଶୁମାନଙ୍କ ପ୍ରତି ଘଟୁଥିବା ନିର୍ଯାତନାକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା ।

Comments are closed.