Thursday, March 28, 2024

Top 5 This Week

Related Posts

ରାୟଗଡ଼ା ଅବକାରୀ ବିଭାଗ ର କବଜାରେ ଗଞ୍ଜେଇ ବେପାରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୪/୦୮) : ରାୟଗଡ଼ା ଅବକାରୀ ବିଭାଗ କୁ ମିଳିଛି ଏକ ବଡ ସଫଳତା । ଅବକାରୀ ନିର୍ଦ୍ଦେଶକ ଆଶିଷ କୁମାର ସିଂ ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଚାରି ଦିନ ର ଅକ୍ଲାନ୍ତ ପରିଶ୍ରମ ପରେ ଗଞ୍ଜେଇ ରାକେଟ କୁ ଧରିବାରେ ସଫଳତା ମିଳିଛି ରାୟଗଡ଼ା ଅବକାରୀ ବିଭାଗକୁ ।

ଦିନକୁ ଦିନ ଅଭିନବ ଉପାୟରେ ବିଭିନ୍ନ ନିଶାଦ୍ରବ୍ୟ ଚୋରା ଚାଲାଣ ଜିଲ୍ଲାରେ ଜାରି ରହିଛି । ଏପରିକି ଏହି ଚୋରା ରାକେଟ ଭାରତ ବର୍ଷ ର ବିଭିନ୍ନ ରାଜ୍ୟକୁ ବ୍ୟାପିଥିବା ସୂଚନା ମିଳିଛି । ରାୟଗଡ଼ା ଅବକାରୀ ବିଭାଗ ଟିମ ମଦ ଜବତ କରିବାକୁ ଯିବା ସମୟରେ ହୋଟେଲ ସାଇ ଇଣ୍ଟରନେସ୍ନାଲ ରାୟଗଡ଼ା ନିକଟରେ CG -13Y – 5263 ନମ୍ବର ଟ୍ରକଟି ଦ୍ରୁତ ଗତିରେ ଆସୁଥିବାର ଦେଖି ଅଟକାଇଥିଲେ ।

ଟ୍ରକଟିକୁ ଯାଞ୍ଚ କରିବାବେଳେ ସେଥିରୁ ୧୫୦ ବସ୍ତା କୁଣ୍ଡା ସହ ୧୨୭ ବସ୍ତା (୪୫.୭୨ କୁଇଣ୍ଟାଲ) ଗଞ୍ଜେଇ ଜବତ ହୋଇଥିଲା । ପ୍ରତି ବସ୍ତାରେ ୩୬ କେଜି ହିସାବରେ ଗଞ୍ଜେଇ ପ୍ୟାକେଟ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପଚାଶ ଲକ୍ଷ ହେବ ବୋଲି ସୂଚନା ମିଳିଛି । କେସ ନମ୍ବର -ପି ଆର ନମ୍ବର -୧୬/୨୦୨୨-୨୩ ରେ କେସ ରୁଜ୍ଜୁ କରି ଦୁଇ ଅପରାଧୀ ଦିନେଶ କୁମାର ଓ ଚନ୍ଦନ କୁ କୋର୍ଟ ଚାଲାଣ କରାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ବିଶାଖାପାଟଣା ଓ କୋରାପୁଟ ସୀମାନ୍ତ “ପାଡୁଆ” ଅଞ୍ଚଳରୁ ଗଞ୍ଜେଇ ଆଣି ରାୟଗଡ଼ା-ରାୟପୁର ଦେଇ ଦିଲ୍ଲୀ ନେବାର ଯୋଜନା ଥିଲା । ଏହି ଯୋଜନାକୁ ପଣ୍ଡ କରିଦେଇଛି ରାୟଗଡ଼ା ମିଳିତ ଅବକାରୀ ବିଭାଗ ଟିମ । ଏହି ରେଡ଼ ରେ ଅଭିରାମ ବେହେରା (ଏସ ପି ଅବକାରୀ), ହିତେଷୁ ଶେଖର ମଲ୍ଲିକ (ଅବକାରୀ ଇନ୍ସପେକଟର ଗୁଣୁପୁର), ପ୍ରୀତିଧର ନାୟକ (ଅବକାରୀ ଇନ୍ସପେକଟର ରାୟଗଡ଼ା), ସୂର୍ଯ୍ୟ ନାରାୟଣ ରଥ, ଆଶ୍ରିବାଦ ବେହେରା, ଭୈରବ ପ୍ରସାଦ ଗନ୍ତାୟତ, ରାୟଗଡ଼ା ଓ ଗୁଣୁପୁର ର ପୁରା ଟିମ ଅଂଶ ଗ୍ରହଣ କରିଥିଲେ ।

ଆଗକୁ ଏଭଳି ଚଢ଼ଉ ଜାରିରଖି ରାୟଗଡା ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଅବକାରୀ ଏସପି ସୂଚନା ଦେଇଛନ୍ତି । ତେବେ ଅବକାରୀ ବିଭାଗ ଏଭଳି ଚୋରା ଚାଲାଣ ରୋକିବାରେ କେତେଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା ।

Popular Articles