ପଦ୍ମପୁର ଉପଖଣ୍ଡରେ ବ୍ୟାପକ ନିଶା କାରବାର, ନିଶାଦ୍ରବ୍ୟ ଜବତ ସହିତ ୬ଜଣ ଗିରଫ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୦୮/୦୮): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଅବୈଧ ନିଶା କାରବାର ଦିନକୁଦିନ ବଢ଼ିବାରେ ଲାଗିଛି । ନିଶାଦ୍ରବ୍ୟ ସାଙ୍ଗକୁ ସଟ୍ଟା ଖେଳ ବେଶ ଜମିଛି । ଏନେଇ ସୋସିଆଲ ମିଡିଆରେ ପୋଲିସର ନିଷ୍କ୍ରିୟତା ପ୍ରତି କଡ଼ା ସମାଲୋଚନା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ନିଶା ଓ ସଟ୍ଟା ବ୍ୟବସାୟୀଙ୍କ ଚେର ଏତେ ମାତ୍ରାରେ ଲମ୍ବିଛି ଯେ, ଏହାକୁ ବନ୍ଦ କରିବା ନେଇ ପୋଲିସ ପକ୍ଷେ ବଡ଼ ଚ୍ୟାଲେଞ୍ଜ ହୋଇପଡିଛି ।

ଦେଶୀମଦ, ଗଂଜେଇ ଏବଂ ସଟ୍ଟା ଖେଳ ସହରଠୁ ଗ୍ରାମାଞ୍ଚଳରେ ସବୁଠି ଖୁଲମଖୁଲା ଚାଲିଥିଲେ ହେଁ କେବଳ କଫ୍ ସିରଫ ଓ ନିଶା ଟେବେଲେଟ ଉପରେ ପୋଲିସ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ କରି ଧର୍ମକୁ ଆଖିଠାର ନୀତି ଅବଲମ୍ବନ କରାଯାଉଥିବା ସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପଦ୍ମପୁର ଏସ୍.ଡି.ପି.ଓ. ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସର ଏକ ସ୍ବତନ୍ତ୍ର ସ୍କାର୍ଡ଼ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ନିଶା ଟେବେଲେଟ, ଶତାଧିକ କଫ୍ ସିରଫ୍ ବୋତଲ, ଅପମିଶ୍ରିତ ନିଶା ପାନୀୟ ଦ୍ରବ୍ୟ ସାଙ୍ଗକୁ ମୋଟର ସାଇକେଲ ଜବତ କରି ୬ଜଣ ଦୁର୍ଦ୍ଧାନ୍ତ ନିଶା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁସ ଗ୍ରାମର ତରଣୀସେନ ସାହୁ, ଗାଈସିଲାଟ ଥାନା ଗାଈସିଲାଟର ଠାକୁର ବେହେରା, ପଦ୍ମପୁର ଥାନା ଅନ୍ତର୍ଗତ ମୁଣ୍ଡୋମହୁଲ ଗ୍ରାମର ଚିନ୍ମୟ ପ୍ରଧାନ, ପାଇକମାଲ ଥାନା ଅନ୍ତର୍ଗତ ଖରାମାଲ ଗ୍ରାମର ବିନୋଦ ସାହୁ ଓ ଛିନ୍ଦେକେଲା ଗ୍ରାମର ପ୍ରଦୀପ ସାହୁ ଏବଂ ଛତିଶଗଡ଼ ସରାଇପାଲି ଥାନା ସରାଇପାଲିର କଫ୍ ସିରଫ ଯୋଗାଉଥିବା ବ୍ୟବସାୟୀ ଦୀପକ ମିଶ୍ର ପ୍ରମୁଖଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍ .ଡି.ପି.ଓ. ସୂଚନା ଦେଇଛନ୍ତି ।

ପରେ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବାର ମଧ୍ୟ ସୂଚନା ଦିଆଯାଇଛି । ପଦ୍ମପୁର ଏସ୍ .ଡି.ପି.ଓ. ପ୍ରଦୀପ କୁମାର ସାହୁଙ୍କ ସମେତ ଥାନାଧିକାରୀ ସ୍ବପ୍ନାରାଣୀ ଗୋଛ୍ଛାୟତ, ମାନସରଞ୍ଜନ ପ୍ରଧାନ, ଠାକୁର ଦାଶ ମୁର୍ମୁ, ବିଶ୍ବଜିତ ମନବୋଧଙ୍କ ଏତାଦୃଶ ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ବାଗତ ଜଣାଯିବା ସହିତ ଆଗାମୀ ଦିନରେ ସଟ୍ଟା ଖେଳାଉଥିବା ଏଜେଣ୍ଟ ଓ ଏଜେଣ୍ଟ ମୁଖିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀ ହେଉଛି ।

Comments are closed.