କାମରେ ଆସୁନି ସ୍ବାସ୍ଥ୍ୟ ବୀମା କାର୍ଡ, ଚିକିତ୍ସା ନ ପାଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବିନୋଦ

ରିପୋର୍ଟ-ଜଗନ କୁମାର ସେଠୀ
କୋଦଳା(୦୭/୦୮/୨୦୧୯): ରାଜ୍ୟ ସରକାରଙ୍କ ତରଫରୁ ଗରିବ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ କରାଯାଇଛି । ବଡ଼ ବଡ଼ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସମସ୍ତ ସରକାରୀ ଓ କିଛି ବେସରକାରୀ ହସ୍ପିଟାଲରେ ମଧ୍ୟ ଏହି ସୁବିଧା ଉପଲବ୍ଧ ବୋଲି ସରକାର କହୁଛନ୍ତି । ତେବେ ଏହି କାର୍ଡ ସଠିକ୍ ବେଳେ କାମ ଦେଉ ନ ଥିବା ଦେଖିବାକୁ ମିଳିଛି ।

ଗଂଜାମ ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତ ଦେଓଳିଆପଡା ଗ୍ରାମର ବିନୋଦ ଡାକୁଆ ୧ବର୍ଷ ଧରି ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ବ୍ଲକ ଓ ଜିଲ୍ଲା ପ୍ରଶାସନର କୌଣସି ସହଯୋଗ ମିଳିନି । ପାଖରେ ସ୍ବାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ ହସ୍ପିଟାଲ କତୃପକ୍ଷ ଗ୍ରହଣ କରୁ ନାହାନ୍ତି । ଧାର କରଜ କରି ୨ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଶାଖାପାଟଣା ସେଭେନ୍ ହିଲ୍ ହସ୍ପିଟାଲରେ ଚିକିତ୍ସା କରିଥିଲେ ମଧ୍ୟ ରୋଗରୁ ମୁକ୍ତି ପାଇ ନାହାଁନ୍ତି ବିନୋଦ । ଅର୍ଥ ଅଭାବରୁ ଚିକିତ୍ସା କରି ପାରୁ ନ ଥିଲା ବେଳେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କାର୍ଡ କାମ ଦେଇନଥିବା ଏବଂ ହସ୍ପିଟାଲ କତୃପକ୍ଷ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି । ୪୪ ବର୍ଷୀୟ ବିନୋଦ ଡାକୁଆ, ପିତା-ଜଗନ୍ନାଥ ଡାକୁଆ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଖଣ୍ଡିଆନଈ ପଞ୍ଚାୟତ ଅନ୍ତର୍ଗତ ଦେଓଳିଆପଡା ଗ୍ରାମରେ ବାସ କରୁଥିବା ବେଳେ ଏହି ଗରିବ ପରିବାର ଏବେ ଭଗବାନ ଭରସାରେ । ସେଲୁନ୍ ରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବିନୋଦ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଷଢୁଛନ୍ତି । ଘରେ ସ୍ତ୍ରୀ ଓ ୨ଝିଅକୁ ନେଇ ପରିବାର । ରୋଜଗାର ନ ଥିବାରୁ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ୨ଝିଅ ପାଠ ପଢୁଥିବା ବେଳେ ଏବେ ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବାରୁ ପରିବାର ଲୋକେ ହତୋତ୍ସାହ ହୋଇପଡ଼ିଛନ୍ତି । ଗୋଟିଏ ପଟେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ଯୋଜନା କରୁଛନ୍ତି | ଅପରପକ୍ଷେ ବୀମା କାର୍ଡକୁ ଅନେକ ହସ୍ପିଟାଲ ଗ୍ରହଣ କରୁ ନଥିବାରୁ ଗରିବ ଲୋକ ଚିକିତ୍ସା ପାଉନାହିଁ । ଯାହାଫଳରେ କି ଏହି କାର୍ଡ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଏବେ ସବୁ କ୍ଷେତ୍ରରୁ ନିରାଶ ହେବା ପରେ ବିନୋଦଙ୍କ ପରିବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

Comments are closed.