ସୋନପୁର କଲେଜ ଏକାଉଣ୍ଟରୁ ୭୦ ଲକ୍ଷ ଟଙ୍କା ଗାୟବ ଘଟଣାରେ ୪ ଜଣ ଗିରଫ

0
171
ସୋନପୁର କଲେଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୮) : ସୋନପୁର କଲେଜ ର ଏକାଉଣ୍ଟରୁ ୭୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଜାଲଚେକ ମାଧ୍ୟମରେ ଉଠାଇନେବା ଅଭିଯୋଗରେ ସୋନପୁର ପୁଲିସ ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା ମିଳିଛି ।

ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମୀଳନିରେ ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା । ପୁଲିସ ର ସୁଚନା ଅନୁସାରେ ଗତ ଜୁନ ୬ ତାରିଖରେ ବ୍ୟାଙ୍କ ଅଫ ବରୋଦାରେ ଥିବା ସୋନପୁର କଲେଜ ର ଏକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଏକ ଚେକ ମାଧ୍ୟମରେ ଟ୍ରାନ୍ସଫର ହୋଇଥିଲା । ଏ ନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ୧୦ ତାରିଖରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାକୁ ନେଇ ସୋନପୁର ପୁଲିସ ତତ୍ପରତା ପ୍ରକାଶ କରି ଘଟଣାକୁ ଗୁରୁତର ସହ ନେଇ ତନା ଘନା ଆରମ୍ଭ କରିଥିଲା । ଘଟଣାକୁ ନେଇ ଏକ ଦଳ ଗଠନ କରି ପୋଲିସ ତଦନ୍ତ ଚଳାଇଥିବେଳେ ଏବେ ପଶ୍ଚିମବଙ୍ଗ ର କୋଚବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୪ ଟି ମୋବାଇଲ ଫୋନ, ୨ଟି ଏଟିଏମ କାର୍ଡ, ୩ଟି କ୍ରେଡିଟ କାର୍ଡ, ପାନ କାର୍ଡ ଏବଂ ଆଧାରକାର୍ଡକୁ ଜବତ କରିଛି ପୁଲିସ ।

ଅଭିଯୁକ୍ତମାନେ ହେଲେ ସବୁଜ ଘୋଷ, ସୁବାଶ ଦାସ, ବିଉଟି ଦାସ ଏବଂ ଦ୍ରୌପତି ଦେ ସରକାର । ସମସ୍ତେ କୋଚ ବିହାରର ବୋଲି ସୁଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା । ଅଭିଯୁକ୍ତ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ସାମ୍ବାଦିକ ମମ୍ମିଳନୀରେ ଏସ.ପି. ଙ୍କ ସମେତ ଏସ.ଡି.ପି.ଓ. ପୁଷ୍ପାଞ୍ଜଳି ନିଙ୍ଗୀ, ସଦର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।