ଲଗାଣ ବର୍ଷାରେ ବେହାଲ ଉତ୍ତର ଓଡ଼ିଶା

0
145
ଲଗାଣ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ
ଭୁବନେଶ୍ୱର, (୨୦/୦୮) : ଲଗାଣ ବର୍ଷାରେ ବେହାଲ ଉତ୍ତର ଓଡ଼ିଶା । ଗାଁ ଗାଁରେ ଏବେବି ପାଣି ର ସୁଅ ଚାଲିଛି । ଶହ ଶହ ଗାଁ ଜଳବନ୍ଦୀ ଅ‍ବସ୍ଥାରେ ରହିଛି । ବନ୍ୟା ସାଙ୍ଗକୁ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି ।

କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛି ପାଣି କମିବାକୁ । ଅସହାୟ ଅବସ୍ଥାରେ ପଡିରହିଛନ୍ତି ହଜାର ହଜାର ବିପନ୍ନ । ନା ପାଖରେ ଖାଇବାକୁ ଅଛି, ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି । ଏଭଳି ସ୍ଥିତିରେ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି ।

ଗତକାଲି ସକାଳେ ଗଭୀର ଅବପାତରେ ପରିଣତ ହୋଇଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟାକୁ ୨୨ କିମି ବେଗରେ ଗତି କରୁଛି । ବାରିପଦା ଠାରୁ ଏହା ୩୦ କିମି ଦୂର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ହୋଇଛି । ଏହା ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି ।

ଆଜି ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ବାଲେଶ୍ୱରକୁ ୨ NDRF ଓ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ବାଲେଶ୍ୱରରେ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା SRC ସୂଚନା ଦେଇଛନ୍ତି ।bls 1 ଲଗାଣ ବର୍ଷାରେ ବେହାଲ ଉତ୍ତର ଓଡ଼ିଶା

ଲଗାଣ ବର୍ଷା ଯୋଗୁ ବାଲିଆ-ନୂଆସାହି ରାସ୍ତାରେ ୧ ଫୁଟ ର ପାଣି ପ୍ରବାହିତ ହେଉଛି । ରାସ୍ତା ବୁଡ଼ିବା ଯୋଗୁଁ ରେମୁଣା-ବାରିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଯଶୀପୁର-ଶିମିଳିପାଳ ରାସ୍ତାରେ ଥିବା ପୋଲ ବୁଡ଼ି ଯାଇଛି । ଗଡ଼ତଳସାହି ନିକଟ ଖଇରିଭଣ୍ଡନ ପୋଲ ଉପରେ ୨ ଫୁଟ ର ପାଣି ପ୍ରବାହିତ ହେଉଛି । ପୋଲ ବୁଡ଼ି ଯିବାରୁ ୪ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁରୁଡ଼ିଆ, ଅସ୍ତକଅଁର, ଧଳାବଣି ଓ ବରେଇପାଣି ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ବର୍ତ୍ତମାନ ହୀରାକୁଦ ଡ୍ୟାମ ର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ର ଜଳସ୍ତର ୬୨୧.୦୨ ଫୁଟ୍ ରହିଛି । ଡ୍ୟାମ୍‌କୁ ପ୍ରବେଶ କରୁଛି ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍‌ରୁ ନିଷ୍କାସିତ ହେଉଛି ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ପାଣି । ମୁଣ୍ଡଳିରେ ପାସ୍ କରୁଛି ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍‌ ଜଳ । ବରମୂଳରେ ୭ ଲକ୍ଷ ୩୭ ହଜାର କ୍ୟୁସେକ୍‌ ଜଳ ପାସ୍ କରୁଛି । ଖଇରମାଳରେ ୫ ଲକ୍ଷ ୫୫ ହଜାର କ୍ୟୁସେକ୍‌ ଜଳ ପାସ୍ କରୁଛି । ବର୍ଷା କମିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଏସ୍‌ଆରସି ।