Related Contents

ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦ର ଉଚ୍ଛେଦ, ଜାମ୍ମୁ କାଶ୍ମୀର ଦୁଇ ଭାଗ

ନୂଆଦିଲ୍ଲୀ(୦୫/୦୮): ଶେଷରେ ଦୁଇ ଭାଗ ହେବ ଜମ୍ମୁ-କଶ୍ମୀର। ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି । ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାକୁ ଜଣାଇଛନ୍ତି । ଏଥିସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିଛନ୍ତି ।

ପ୍ରସ୍ତାବ ଅନୁଯାୟୀ, ଜମ୍ମୁ-କଶ୍ମୀର ଆଉ ରାଜ୍ୟ ମାନ୍ୟତା ପାଇବ ନାହିଁ । ଅର୍ଥାତ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବ । ଏଠାରେ ବିଧାନସଭା ରହିବ । ସେହିପରି ରାଜ୍ୟପାଳଙ୍କ ବଦଳରେ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ରହିବେ । ଦିଲ୍ଲୀରେ ଯେପରି ବ୍ୟବସ୍ଥା ରହିଛି, ଜମ୍ମୁ-କଶ୍ମୀରରେ ଅନୁରୂପ ବ୍ୟବସ୍ଥା ରହିବ । ପୂର୍ବରୁ ଜମ୍ମୁ-କଶ୍ମୀର ସହ ମିଶି ରହିଥିବା ଲଦାଖକୁ ମଧ୍ୟ କେନ୍ଦ୍ର ସରକାର ଅଲଗା ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ପ୍ରସ୍ତାବ ଆଗତ କରିଛନ୍ତି । ଏଠାରେ ଲଦାଖର ନିଜସ୍ୱ ବିଧାନସଭା ରହିବ ନାହିଁ । କିନ୍ତୁ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ରହିବେ । ସେହିପରି ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବାକୁ ଯାଉଥିବାରୁ ଏଠାରେ କେନ୍ଦ୍ର ସରକାରଙ୍କ ଶାସନ ଚାଲିବ । ପ୍ରସ୍ତାବ ଆଗତ କରିବା ପଛର କାରଣ ସମ୍ପର୍କରେ ସଫେଇ ଦେଇ ଅମିତ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀରରେ ସୀମାପାର ଆତଙ୍କବାଦ ବଢ଼ୁଛି । ଏଥିପାଇଁ ଅଞ୍ଚଳବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି ହେଉଛି । ତେଣୁ ଜମ୍ମୁ-କଶ୍ମୀରରୁ ସରକାର କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ଚାହୁଁଛନ୍ତି । ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।”

ପୂର୍ବରୁ ଧାରା ୩୭୦ ଅନୁଯାୟୀ, ଜମ୍ମୁ-କଶ୍ମୀରର ନିଜସ୍ୱ ସମ୍ବିଧାନ ରହିଥିଲା । ସେହିପରି ପ୍ରତିରକ୍ଷା, ଯୋଗାଯୋଗ ଓ ବୈଦେଶିକ ବ୍ୟାପାର ପ୍ରସଙ୍ଗରେ କେନ୍ଦ୍ରର ନିଷ୍ପତ୍ତି ଉପରେ ଏହି ଧାରା ପ୍ରତିବନ୍ଧକ ସାଜିଥିଲା । କୌଣସି ପଦକ୍ଷେପ ନେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପ୍ରଥମେ ରାଜ୍ୟ ବିଧାନସଭାର ଅନୁମତି ନେବାକୁ ପଡ଼ୁଥିଲା ।

Comments are closed.