ପାଣି ସମସ୍ୟା ସମାଧାନ ଦାବିରେ କେଜିବିଭି ହଷ୍ଟେଲ ଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୫/୦୮): ପାଣି ସମସ୍ୟାର ତ୍ୱରିତ ସମାଧାନ ସହିତ ହଷ୍ଟେଲର ବିଭିନ୍ନ ସମସ୍ୟା ପ୍ରତିକାର ଦାବିରେ ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଅନ୍ତେବାସିନୀ ମାନେ ସୋମବାର ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ୨୬ନଂ ଜାତୀୟ ରାଜପଥ ଅବରୋଧ କରିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅବୋଧ ଛାତ୍ରୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସାଧାରଣ ଜନତା ମଧ୍ୟ ସେମାନଙ୍କ ସହିତ ମିଶି ଆନ୍ଦୋଳନରେ ସାମିଲ ହେବା ସହିତ ରାଜପଥ ଅବରୋଧ କରିଥିଲେ ।

ଲୋଇସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଛି କସ୍ତୁରବା ଗାନ୍ଧୀ ଆବାସିକ ଛାତ୍ରୀ ନିବାସ । ଏହି ଛାତ୍ରୀ ନିବାସରେ ଶହେ ଜଣ ଛାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଏଠାରେ ଷଷ୍ଠରୁ ନବମ ପଢ଼ୁଥିବା ୧୩୨ ଜଣ ଛାତ୍ରୀ ରହୁଛନ୍ତି । ଏତେ ସଂଖ୍ୟକ ଛାତ୍ରୀଙ୍କ ପାଇଁ ହଷ୍ଟେଲ ପରିସରରେ ଗୋଟିଏ ମାତ୍ର ନଳକୂପ ରହିଛି । ସେଥିରେ ଛାତ୍ରୀ ମାନେ ଉଭୟ ଗାଧୋଇବା ଓ ପିଇବା ପାଣି ପାଇଁ ନିର୍ଭର କରିଥାନ୍ତି । ଏଥିସହିତ ୧୩୨ ଛାତ୍ରୀଙ୍କ ପାଇଁ ମାତ୍ର ୩ ଟି ଶୌଚାଳୟ ଥିବା ଯୋଗୁଁ ଛାତ୍ରୀ ମାନେ ବାହାରେ ପରିଶ୍ରା କରୁଥିବା ଦେଖିବାକୁ ମିଳିଛି । ଛାତ୍ରୀମାନେ ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ୱାର୍ଡନ ଅଥବା ହଷ୍ଟେଲ ଅଧିକ୍ଷକଙ୍କୁ କହିଲେ ଓଲଟା ସେମାନଙ୍କୁ ହଷ୍ଟେଲରୁ ବାହାର କରିଦେବାକୁ ଧମକ ମିଳୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କୁ ଜାଳେଣି କାଠ ଆଣିବା ସହିତ ବିଭିନ୍ନ କାମ କରିବାକୁ ବାଧ୍ୟ କରାଯାଉଥିବା ବେଳେ ସେ ସମୟରେ ହଷ୍ଟେଲ ପରିସରରେ ଥିବା ସିସି କ୍ୟାମେରାକୁ ଜାଣିଶୁଣି ବନ୍ଦ କରି ଦିଆଯାଉଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି କିଛି ଛାତ୍ରୀ ।

ୱାର୍ଡନ ଏବଂ ହଷ୍ଟେଲ ଅଧିକ୍ଷକଙ୍କ ମନମୁଖୀ କାରବାରରେ ସ୍ୱର ଉତ୍ତୋଳନ କରିବା ସହିତ ପ୍ରତିବାଦ କରିବାରୁ ହଷ୍ଟେଲରେ ରହି ସ୍ଥାନୀୟ ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଜ୍ୟୋତିଶ୍ରୀ ଥନାପତି, ରୀନା ଧରୁଆ, ରାଜେଶ୍ୱରୀ ଠେଲା, ଜକି ସାହୁ ପ୍ରମୁଖ ୪ ଜଣ ଛାତ୍ରୀଙ୍କୁ ଗତକାଲି ହଷ୍ଟେଲରୁ ବାହାର କରି ଦିଆଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ ଛାତ୍ରୀ ମାନେ ସେମାନଙ୍କ ନିଜ ଘରୁ ଆଜି ସ୍କୁଲକୁ ପାଠ ପଢି ଆସିଥିବା ଦେଖିବାକୁ ମିଳିଥିଲା । ଅଭିଯୋଗକୁ ହଷ୍ଟେଲ ଅଧିକ୍ଷକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କନକ ମଞ୍ଜରୀ ପାଣିଗ୍ରାହୀ ଅସ୍ବୀକାର କରିଥିଲେ । ତେବେ ଛାତ୍ରୀମାନେ ସେମାନଙ୍କୁ ପାଣି ଯୋଗାଇ ଦେବା ଦାବିରେ ପ୍ରଥମେ ସ୍କୁଲ ଫାଟକକୁ ବନ୍ଦ କରି ତା ସମ୍ମୁଖରେ ଧାରଣା ଦେବା ସହିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ତେବେ ଘଟଣାସ୍ଥଳକୁ କେହି ନ ଆସିବାରୁ ଉତ୍ୟକ୍ତ ଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଥିବା ୨୬ ନ ଜାତୀୟ ରାଜପଥକୁ ଆସି ଅବରୋଧ କରିଥିଲେ । ଲୋଇସିଂହା ଆଦିବାସୀ କଲ୍ୟାଣ ସଙ୍ଘର ଶ୍ୟାମସୁନ୍ଦର ଭୋଇ, କାହ୍ନୁ ପଧାନ, ଆଞ୍ଚଳିକ ବିକାଶ ପରିଷଦର ଲାଲମାନ ନାଗ, ବିଭିନ୍ନ ଏସଏଚଜି ର ମହିଳା ମାନଙ୍କ ସମେତ କିଛି ଅନ୍ତେବାସିନୀଙ୍କ ଅଭିଭାବକ ମଧ୍ୟ ଘଟଣାସ୍ଥଳରେ ପହଂଚି ଛାତ୍ରୀଙ୍କ ଦାବିକୁ ନ୍ୟାୟୋଚିତ ଦର୍ଶାଇ ସମର୍ଥନ କରିବା ସହିତ ରାସ୍ତା ଅବରୋଧରେ ସାମିଲ ହୋଇଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା । ଘଟଣାସ୍ଥଳକୁ ଲୋଇସିଂହା ବିଇଓ ରିନାକୁମାରୀ ବେହେରା, ଆଇଆଇସି ଲଳିତା ଲାକ୍ରା ପ୍ରମୁଖ ପହଂଚି ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ହଷ୍ଟେଲକୁ ଜଳ ଯୋଗାଣ ନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ କୌଣସି ପ୍ରତିଶ୍ରୁତି ନ ମିଳିବା ପରେ ଛାତ୍ରୀମାନେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ।

ତେବେ ଅଧବାଟରୁ ବିଡ଼ିଓ ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିଥିଲେ । ତତ୍ପରେ ଵିଦ୍ୟାଲୟ ପରିସରରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ବିଇଓ ରୀନା ବେହେରା, ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ, ଜେଜିବିଭି ଜିଲା କୋ ଅର୍ଡିନେଟରଙ୍କ ଉପସ୍ଥିତିରେ ହଷ୍ଟେଲ ଅଧିକ୍ଷକ, ୱାର୍ଡନ ପ୍ରମୁଖ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଛାତ୍ରୀ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ହଷ୍ଟେଲକୁ ପାଣି ଯୋଗାଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପ୍ରତିଦିନ ପାଣି ଦିଆଯିବା ପାଇଁ ସ୍ଥିର କରାଯାଇଥଲା । ଏଥିସହିତ ଖୁବ ଶୀଘ୍ର ନୂତନ ନଳକୂପ ଖନନ ସାଙ୍ଗକୁ ଅଧିକ ଶୌଚାଳୟ ନିର୍ମାଣ ତଥା ଅନ୍ତେବାସିନୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ହଷ୍ଟେଲ ୱାର୍ଡନଙ୍କୁ ଏଠାରୁ ବଦଳି କରାଯିବା ପାଇଁ ସୁପାରିଶ କରାଯିବ ବୋଲି ଜିଲା କୋଅର୍ଡିନେଟର ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

Comments are closed.