ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା(୧୭/୦୮) : ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସଭାଗୃହରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଭୀମସେନ ଶବର ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ଅର୍ଥନୀତି ଅଧ୍ୟାପକ ଦେବେଶ କୁମାର ମିଶ୍ର, ଏନ ଏସ ଏସ ସଂଯୋଜିକା ସୁଶୀ କରୁଣା କେରେକେଟ୍ଟା, ଅଧ୍ୟାପିକା ପ୍ରତିମା ପଣ୍ଡା ଓ ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ରାୟଗଡ଼ା ପୌର ପାଳିକା ର ନିର୍ବାଚନ ସହାୟକ ଚନ୍ଦ୍ର ଶେଖର ରଥ, ବୁଥ ଅଧିକାରୀ ବି. କଲ୍ୟାଣୀ ଓ ଏ. ଅରୁଣା, ମହାବିଦ୍ୟାଳୟ ପ୍ରାଧ୍ୟାପିକା, ପ୍ରାଧ୍ୟାପକ ବୃନ୍ଦ ଓ ତିନି ଶହରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ । ବ୍ୟାନର ଓ ପୋଷ୍ଟରମାନ ପ୍ରଦର୍ଶିତ କରାଯାଇଥିଲା ।
ପ୍ରାରମ୍ଭରେ ମାଁ ମଝିଘରିଆଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ କରି ଶିବିର ର ପ୍ରାରମ୍ଭ କରାଯାଇଥିଲା । ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ଶିବିର ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଜାତୀୟ ମତଦାତା ଦିବସ, ମତଦାତା ସଚେତନତା ଆଦି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ ଏସ ଏସ ଶାଖା ର ଭୂମିକା ଉପରେ ଆଲୋକପାତ କରିଥିଲେ ।
ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଶବର ପିଲାଙ୍କ ଭବିଷ୍ୟତ ଜୀବନ ଗଠନ, ନାଗିରକତ୍ଵ, ସମ୍ବିଧାନରେ ଧାରା ୩୨୪ ରେ ବ୍ୟବସ୍ଥା, ଜନ ପ୍ରତିନିଧିତ୍ଵ ଧାରା ୧୯୫୦ ଓ ୧୯୫୧ ତଥା ଭୋଟର ତାଲିକା ପଞ୍ଜୀକରଣ ନିୟମ ୧୯୬୦ ର ବ୍ୟବସ୍ଥା ଓ ଏଥିରେ ହୋଇଥିବା ସଂଶୋଧନ ବିଷୟରେ ଆଲୋଚନା କରିଥିଲେ ।
ବର୍ତ୍ତମାନ ବର୍ଷ ର ପ୍ରତି ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସ ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ବୟସ ଅଠର ବର୍ଷ ପୂର୍ଣ୍ଣ ହେଲେ ସେମାନେ ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ ନିମନ୍ତେ ଯୋଗ୍ୟ ହେବେ ଓ ନିଜ ଘରେ ବସି ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରି ଡାକଯୋଗେ ଭୋଟର କାର୍ଡ ପ୍ରାପ୍ତ କରିପାରିବେ ବୋଲି ଅବଗତ କରିଥିଲେ ।
ନିଜ ଛାତ୍ରୀ ଜୀବନରେ ସଫଳ ହେବା ନିମନ୍ତେ କେତେକ ଆଦର୍ଶ ଜ୍ଞାନ ଓ କୌଶଳ ପ୍ରଦାନ କରିଥିଲେ । ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଭୋଟ ଦାନ ଅଧିକାର, ନାମ ପଞ୍ଜୀକରଣ ନିମନ୍ତେ ଆବଶ୍ୟକ ଫର୍ମ ଓ ଦସ୍ତାବିଜ ସହ ଭୋଟର ହେଲ୍ପ ଲାଇନ ଓ ଏନ ଭି ଏସ ପି ଆପ ର ବ୍ୟବହାର, ସହ କିଭଳି ଭାବେ ନିଜର ଓ ନିଜ ପରିବାରବର୍ଗଙ୍କ ଓ ପଡୋଶୀଙ୍କ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ କୌଶଳ ବର୍ଣ୍ଣନା କରିଥିଲେ ।
ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଭୋଟର-ଛାତ୍ରୀ ବୁଥ ସ୍ତରୀୟ ଅଧିକାରୀଙ୍କ ସହାୟତାରେ ନିଜ ନିଜର ଭୋଟର ନମ୍ବର ସହ ଆଧାର ନମ୍ବରର ସଂଯୋଗ କରିଥିଲେ । ଶେଷରେ ଉପଜିଲ୍ଲାପାଳ କେତୋଟି ଭୋଟର ସମ୍ବନ୍ଧୀୟ ସରଳ ପ୍ରଶ୍ନର ଉତ୍ତର ପିଲାଙ୍କ ଠାରୁ ଆଦାୟ କରିଥିଲେ । ଅଧ୍ୟାପିକା ପ୍ରତିମା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ବୈଠକ ପରିଚାଳନା କରିଥିଲେ ଓ ଶ୍ରୀ ଦେବେଶ କୁମାର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।