ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୮) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଏହି ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶା ର ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୋଲିସ ପ୍ୟାରେଡ ଦଳକୁ ପରିଦର୍ଶନ କରି ଅଭିବାଦନ ଗ୍ରହଣ କରିଥିଲେ ପରେ ସମବେତ ଥିବା ଜନତାଙ୍କୁ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଉଦବୋଧନ ଦେଇ କହିଥିଲେ ଯେ, ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ଦେଶବ୍ୟାପୀ ପାଳନ ହେଉଛି ୭୬ ତମ ସ୍ଵାଧୀନତା ଦିବସ ।
ଆମକୁ ସ୍ଵାଧୀନତା ସହଜେ ମିଳି ନ ଥିବା ବେଳେ ଏହି କଷ୍ଟସାଧ୍ୟ ଜାତୀୟତା ସଂଗ୍ରାମରେ ସାମିଲ ହୋଇ ଉତ୍ସର୍ଗୀକୃତ ବଳିଦାନ ଦେଇଥିବା ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଆଜି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଭାରତ ର ସ୍ଵାଧୀନତା ସଂଗ୍ରାମରେ ଗଜପତି ଜିଲ୍ଲା ର ଅବଦାନ ଅତୁଳନୀୟ ବୋଲି କହି ପାରଳା ମହାରାଜା ତଥା ନବ ଉତ୍କଳ ର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ସ୍ମରଣ କରିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଆମେ ସମସ୍ତେ ଦେଶ ମାତୃକା ପାଇଁ ଏବଂ ଓଡ଼ିଶା ରାଜ୍ୟ ର ସର୍ବାଙ୍ଗୀନ ବିକାଶ ଓ ସୁରକ୍ଷା ଦିଗରେ ନିଜକୁ ଉତ୍ସର୍ଗ କରିବା ପାଇଁ ଶପଥ ନେବା । ଆମେ ଆମ ରାଜ୍ୟ ଓ ଜିଲ୍ଲାଞ୍ଚଳ ସମେତ ଆମ ଜାତି ଓ ସଭ୍ୟତା ର ସୁରକ୍ଷା କରିବା ପାଇଁ ସଂକଳ୍ପ ବଦ୍ଧ ହେବାପାଇଁ ଆହ୍ୱାନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ ବିଭାଗ ର ସର୍ବଶ୍ରେଷ୍ଠ କୃତିତ୍ଵ ଅର୍ଜନ କରିଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ସମାରୋହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ, ଏସପି ଶ୍ରୀ ଜୟରାମ ଶତପଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚ ଖମାରୀ, ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଓଏସଏପି କମାଣ୍ଡେଣ୍ଟ ଶ୍ରୀ ଜରିଆ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା ଓ ସହଯୋଗ କରିଥିଲେ ।