ଆସାମର ସିଲଚରରେ ପ୍ରାଣ ହରାଇଥିବା ସିଆରପିଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୧/୦୮): ଆସାମର ସିଲଚର ଠାରେ ପ୍ରାଣ ହରାଇଥିବା ସିଆରପିଏଫ ଯବାନ ଯୁଧିଷ୍ଠିର ଧରୁଆଙ୍କ ମୃତଦେହ ଗୁରୁବାର ତାଙ୍କ ଗାଁ କୁଟେନପାଳିରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କ ଦାହ ସଂସ୍କାର ସମ୍ପନ୍ନ ହୋଇଯାଇଛି ।

ଲୋଇସିଂହା କଲେଜ ଛକ ଠାରେ ସ୍ଥାନୀୟ ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ରବୀନ୍ଦ୍ର ପୁଟେଲ, ଚତୁରୁ ଦଳାଇ, ନଯୁ ଖାନ, ରାଜୀବ ସାହୁ ଏବଂ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଶ୍ୟାମସୁନ୍ଦର ଭୋଇ, କାହ୍ନୁ ପଧାନ, ଭୁବନେଶ୍ୱର ଧରୁଆ ପ୍ରମୁଖ ସ୍ବର୍ଗତ ଯୁଧିଷ୍ଠିରଙ୍କ ଶବଧାରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ଏକ ବାଇକ ଶୋଭାଯାତ୍ରାରେ ଏଠାରୁ ୪ କିମି ଦୂର ତାଙ୍କ ଗ୍ରାମ କୁଟେନପାଳିକୁ ନିଆଯାଇଥିଲା । ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ତୋଷ କୁମାର ସିଂହଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ଏସ.କେ କଲେତଙ୍କ ସମେତ ପ୍ରାୟ ୧୪ଜଣ ସିଆରପିଏଫ ଯବାନ ଯୁଧିଷ୍ଠିରଙ୍କ ମୃତଦେହ ଧରି ଗୁରୁବାର ତାଙ୍କ ଗାଁରେ ପହଞ୍ଚିଥିଲେ ।

ମୃତକଙ୍କ ବଡ ସଢୁ ବିକେ ଧରୁଆ, ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ତହସିଲଦାର ଆରତୀ ଭୋଇ, ଆଇଆଇସି ଲଳିତା ଲାକ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୁଧିଷ୍ଠିରଙ୍କ ଶେଷ ଦର୍ଶନ କରିଥିଲେ । କେନ୍ଦ୍ରୀୟ ରିଜର୍ଭ ପୁଲିସର ୧୭୫ବାଟାଲିୟନ ପକ୍ଷରୁ ସ୍ବର୍ଗତ ଧରୁଆଙ୍କ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ମୃତକଙ୍କ ଏକମାତ୍ର ୪ବର୍ଷୀୟ ପୁଅ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ଯୁଧିଷ୍ଠିରଙ୍କ ବାପା ନାରାୟଣ ଧରୁଆଙ୍କ ଗତ ଦୁଇ ବର୍ଷ ତଳେ ପରଲୋକ ହୋଇଯାଇଥିବା ବେଳେ ତାଙ୍କ ବିଧବା ପତ୍ନୀ, ୯ ବର୍ଷୀୟା ଝିଅ, ୪ ବର୍ଷର ପୁଅ ଓ ମାଆ ଅଛନ୍ତି ।

Comments are closed.