Friday, March 29, 2024

Top 5 This Week

Related Posts

ଆଜି ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟା ଜଳ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୮) : ହୀରାକୁଦ ଡ୍ୟାମରୁ ୩୪ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ମୁଣ୍ଡଳି ଅତିକ୍ରମ କରିବ ।

ଆଜି ମୁଣ୍ଡଳି ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ ର ଜଳସ୍ତର ୬୧୬.୫୬ ଫୁଟ୍ ରହିଛି । ଡ୍ୟାମ୍‌କୁ ୫,୪୧,୯୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୫,୬୧,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତା’ହେଲେ ଅଗଷ୍ଟ ୧୫ ବେଳକୁ ଛୋଟ ବନ୍ୟା ଆସିପାରେ । ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ରହିଛନ୍ତି ସଂପୃକ୍ତ ଜିଲ୍ଲା ପ୍ରଶାସନ ।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଫୁଲୁଥିବା ବେଳେ ତଳମୁଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଓ ଅନ୍ୟ ପକ୍ଷରେ ଆଜି ହୀରାକୁଦ ଡ୍ୟାମ୍‌ ର ୩୪ ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣପୁର, ବୌଦ୍ଧ ସହିତ କଟକ ର ମୁଣ୍ଡଳି ଠାରେ ମହାନଦୀ ର ଜଳସ୍ତର ବଢ଼ିବାରେ ଲାଗିଛି ।

ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ବୀରମହାରାଜପୁର-ସୋନପୁର ରାସ୍ତାର ବିଜେପୁର ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ବୀରମହାରାଜପୁରକୁ ଗମନାଗମନ ବ୍ୟାହତ ହୋଇଛି । ସୋନପୁର-ସମ୍ବଲପୁର ରାସ୍ତା ର ମାଲତିଯୋର ସେତୁ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ତେଣୁ ସୋନପୁର-ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବୀରମହାରାଜପୁର-ଅମରପାଲି ର ରାସ୍ତା ର ଘୁଂଘିଯୋର ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଏହି ବାଟ ଦେଇ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ଜିଲ୍ଲା ର ବିନିକା ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ସହର ର ଗୁଲାପଡ଼ାରେ ବଢ଼ି ପାଣି ପଶି ଯାଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି । ଗୁଲାପଡ଼ାରୁ ବିନିକା ଟାଉନକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଝରାପଡ଼ା, କୋଲପଡ଼ା ଓ ସେଲେରୀ ପଞ୍ଚାୟତ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି ।

ହୀରାକୁଦ ଡ୍ୟାମ୍‌ରୁ ୩୪ ଟି ଗେଟ ଦେଇ ଜଳ ନିଷ୍କାସନ ସହିତ ତଳ ମୁଣ୍ଡରେ ବର୍ଷା ହେଉଥିବା ଯୋଗୁ କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବୃଦ୍ଧି ପାଉଛି । ବଡ଼ମ୍ବା ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ର ପାହାଚ ଛୁଇଁଲାଣି ମହାନଦୀ ର ବନ୍ୟାଜଳ । ଲଗାଣ ବର୍ଷାରେ ବନ୍ୟପାଣି ପଶି ବଡ଼ମ୍ବା ବ୍ଲକ ର ହଜାର ହଜାର ଚାଷଜମି ଜଳାର୍ଣ୍ଣବ ହୋଇଛି । ଫଳରେ ଚିନ୍ତାରେ ପଡ଼ି ଯାଇଛି ଚାଷୀ ।

ଅନ୍ୟପକ୍ଷରେ ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବିପଦ ସଙ୍କେତ ଟପିଛି । ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀ ର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ୧୮.୦୦ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ଚାଲିଥିବାରୁ ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି ।

ବୈତରଣୀ ନଦୀ ର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲା ର ଦଶରଥପୁର ଓ କୋରେଇ ବ୍ଲକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ ଯାଜପୁର ବ୍ଲକରେ ପ୍ରବାହିତ ଏହାର ଶାଖା ନଦୀ ବୁଢ଼ା ଓ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଆସିଲେ ଦଶରଥପୁର ର କୟାଁ, କମାରଢ଼ି, ଖାନ ନଗର, ଦତ୍ତପୁର, କସପା, ନିଜାମପୁର ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ଏହି ସବୁ ଗାଁ ର ଲୋକେ ଚିନ୍ତିତ ଅଛନ୍ତି ।

ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତା ର ରେମାଳ ନାଳ ପୋଲ ଉପରେ ୩ ଫୁଟ ର ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଲଗାଣ ବର୍ଷା ପରେ କନ୍ଧମାଳ ଜିଲ୍ଲାର ସବୁ ଛୋଟ ବଡ଼ ନଦୀରେ ବୃଦ୍ଧି ପାଇଛି ଜଳସ୍ତର । କିଛି ଗାଁ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛନ୍ତି । ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ର ବାଘ ନଦୀରେ ଥିବା କାଠ ପୋଲ ଭାସି ଯାଇଛି ।

ସେହିପରି ବାଘ ନଦୀ ର ବଢ଼ିପାଣି ଯୋଗୁଁ କାଣ୍ଡ୍ରିବାଲି ପଞ୍ଚାୟତ ର କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲୁଇସିଂ ପଞ୍ଚାୟତ ର ପାହାଡ଼ିଆ ନଦୀରେ ବଢ଼ି ଯୋଗୁଁ ଡାଙ୍ଗଣାମୁଁ ପାଣି ଘେରରେ ରହିଛି । ଗୋଟେଣୀ ନାଳରେ ମଧ୍ୟ ଅଧିକ ପାଣି ଚାଲିଥିବାରୁ ଶିକୁଳିପଦର ଗାଁ ଜଳବନ୍ଦୀ ହୋଇ ରହିଛି । ଏହି ସବୁ ଗାଁ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛି ଜିଲ୍ଲା ପ୍ରଶାସନ ।

ଅନ୍ୟପକ୍ଷରେ ଦାଉ ସାଜିଛି ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ । ଆଜି ଏହା ଅବପାତର ରୂପ ନେବା ପରେ ରାଜ୍ୟରେ ୨ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଏହାରି ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଉପକୂଳ ଜିଲ୍ଲା ଗୁଡ଼ିକରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ହେବା ସମ୍ଭାବନା ରହିଛି ।

Popular Articles