Friday, March 29, 2024

Top 5 This Week

Related Posts

ରାଜ୍ୟରେ ନୂତନ ବିରୋଧି ଦଳ ନେତା ନିଯୁକ୍ତି ପରେ ବଦଳିବ କି ବିଜେପି ର ଭାଗ୍ୟ ?

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୩/୦୮) : ରାଜ୍ୟରେ ନୂତନ ବିରୋଧି ଦଳ ନେତା ନିଯୁକ୍ତି ପରେ ବଦଳିବ କି ବିଜେପି ର ଭାଗ୍ୟ ? ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଅପ୍ରତିଦ୍ଵନ୍ଦୀ ଭାବେ ବିଜେଡି ଏକ ସ୍ଥିର ସରକାର ଶାସନ କରିବାରେ ଅପୂର୍ବ ସଫଳତା ଲାଭ କରିପାରିଛି । କେନ୍ଦ୍ରରେ ଏକ ସ୍ଥିର ସରକାର ଦେଇଥିବା ବିଜେପି ଏବଂ ସର୍ବ ପୁରାତନ କଂଗ୍ରେସ ଦୁହିଁଙ୍କ ପ୍ରଦର୍ଶନ ଓଡ଼ିଶାରେ ଅତ୍ୟନ୍ତ ଦୟନୀୟ ।

ରାଜ୍ୟରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରିନି ତଥାପି ଦ୍ଵିତୀୟ ସର୍ବବୃହତ ଦଳ ଭାବେ ରାଜ୍ୟରେ ନୂତନ ବିରୋଧି ଦଳ ର ଭୂମିକା ନିର୍ବାହ କରୁଛି । ଅବଶ୍ୟ କଳାହାଣ୍ଡି ଜିଲ୍ଲାରେ ବିଜେପି ର ସ୍ଥିତି ବିଗତ ଦିନରେ ବେଶ ସୁଦୃଢ଼ ଥିଲା । ଯାହାର ଶ୍ରେୟ ପ୍ରଦୀପ୍ତ ନାୟକଙ୍କର ସାଂଗଠନିକ କଳାଚାତୁରୀ ଯୋଗୁଁ ସମ୍ଭବ ହୋଇଥିବା ରାଜନୈତିକ ସମୀକ୍ଷକମାନେ କହନ୍ତି । ତେଣୁ ତାଙ୍କୁ ରାଜ୍ୟ ବିଜେପି ବିରୋଧୀ ଦଳ ନେତା ଭାବେ ପଦାସିନ କରାଯାଇଥିଲା ।

କିନ୍ତୁ ଦୁର୍ଭାଗ୍ୟକୁ ଶ୍ରୀ ନାୟକ ଭୟଙ୍କର କୋରୋନା ର ଶିକାର ହୋଇ ଅଦ୍ୟାବଧି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି । ଦୀର୍ଘଦିନ ବିରୋଧୀ ଦଳ ନେତା ପଦ ଏକ ପ୍ରକାର ଖାଲି ପଡ଼ିଥିବାରୁ ଦଳ ପକ୍ଷରୁ ଶେଷରେ ନୂତନ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଙ୍ଗଠନକୁ ସୁଦୃଢ଼ କରୁଥିବା ବେଳେ ଜୟ ନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି ।

ଯଦିଓ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡିକୁ ପରୋକ୍ଷରେ ଅବା ପ୍ରତ୍ୟକ୍ଷରେ ବିଜେଡି ସର୍ବଦା ସମର୍ଥନ କରି ରାଜନୈତିକ ଫାଇଦା ହାସଲ କରିବାରେ ସଫଳ ହୋଇଛି । ରାଜ୍ୟରେ ଶାସକ ଦଳ ସମସ୍ତ କେନ୍ଦ୍ରୀୟ ଯୋଜନାକୁ କୂଟନୈତିକ କୌଶଳରେ ରାଜ୍ୟ ର ସମସ୍ତ ଯୋଜନା ନିଜର ବୋଲି ଉପସ୍ଥାପନ କରି ଜନତାଙ୍କର ପ୍ରିୟଭାଜନ ହୋଇପାରିଥିବା ବେଳେ ବିଜେପି କେନ୍ଦ୍ରୀୟ ଅନୁଦାନ ର ରାଜନୈତିକ ଫାଇଦା ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ଆଉ ଏକ ବିଷୟ ବିଜେପି ର ନିର୍ବାଚିତ ପ୍ରତିନିଧି ମାନଙ୍କର ଉପରେ ଦଳର ଆୟତ୍ତ ନଥିବାରୁ ଦଳୀୟ ସଙ୍ଗଠନକୁ ଅଣଦେଖା କରି ନିଜସ୍ୱ ବ୍ୟକ୍ତିଗତ କର୍ମୀଙ୍କୁ ଅଗ୍ରାଧିକାର ଦେଉଥିବାରୁ ତୃଣମୂଳ ସ୍ତରରେ କର୍ମୀ ଅସନ୍ତୋଷ ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥିତିରେ ଜୟନାରାୟଣ ମିଶ୍ରଙ୍କୁ ଦିଆଯାଇଥିବା ନୂତନ ଦାୟିତ୍ୱ କେତେ ଦୂର ଓଡ଼ିଶା ର ବିଜେପି ସଙ୍ଗଠନ କୁ ମଜବୁତ କରିବ ସମସ୍ତଙ୍କର ନଜର ରହିଛି ।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ରାଜନୈତିକ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ତାଙ୍କ ଉପରେ ବିଶ୍ୱାସ କରି ଦେଇଥିବା ଗୁରୁଦାୟିତ୍ୱକୁ ସେ ସମ୍ପାଦନ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପି ର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁହାଇବା ଭଳି ଅନେକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇଛନ୍ତି, ଯାହାକି ପରୋକ୍ଷରେ ରାଜ୍ୟରେ ବିଜେପି ସଙ୍ଗଠନକୁ ଦୁର୍ବଳ କରାଇଛି । ଏହାର ପରିଣାମ ମଧ୍ୟ ବିଜେପିକୁ ଗତ ତ୍ରିସ୍ତରୀୟ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡିଛି ।

ଓଡ଼ିଶା ରୁ ୩ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଓ ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ ରାଷ୍ଟ୍ରପତି ପଦରେ ଆସୀନ କରିବା ରାଜ୍ୟ ବିଜେପି ତାହାର ଫାଇଦା ହାସଲ କରି ନ ପାରିବା ରାଜ୍ୟ ନେତୃତ୍ୱର ଅପାରଗତା ପଦାରେ ପଡିଛି । ଉଲ୍ଲେଖଯୋଗ୍ୟ, ବିଜେଡି ନେତୃତ୍ୱ ସମଦୂରତ୍ୱ ରଣନୀତି ର ଆଳ ଦେଖାଇ ବାସ୍ତବରେ କେନ୍ଦ୍ରରେ ବିଜେପି ସରକାର ଓ ବିଜେପି ନେତୃତ୍ୱଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇ ସୁଚିନ୍ତିତ ଢଙ୍ଗରେ ରାଜ୍ୟରେ ବିରୋଧୀ ଦଳକୁ ନିଷ୍ପ୍ରଭ କରିବାକୁ ପ୍ରୟାସ କରିଛନ୍ତି ।

୨୦୧୫ ରେ ଜିଏସଟି ବିଲ, ୨୦୧୬ ରେ ବିମୁଦ୍ରାକରଣ, ୨୦୧୭ ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ, ୨୦୧୮ ଜୁଲାଇ ୨୦ ରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବେଳେ ସଂସଦରୁ ନାଟକୀୟ ଢଙ୍ଗରେ କକ୍ଷତ୍ୟାଗ କରି ବିଜେଡି ସିଧାସଳଖ ନିଜର ଘନିଷ୍ଠତାର ପ୍ରମାଣ ଦେଇଥିଲା । ୨୦୧୮ ଅଗଷ୍ଟ ୮ ରେ ବିଜେଡି ନିଜର ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ଏନଡିଏ ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଲା ।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, କଶ୍ମୀରରେ ଧାରା-୩୭୦ ର ଉଚ୍ଛେଦ, ଟ୍ରିପଲ ତଲାକ ବିଲ୍ , ନାଗରିକତା ସଂଶୋଧନ ବିଲ୍ (ସିଏଏ)କୁ ସମର୍ଥନ ଦେବାକୁ ପଛାଇ ନଥିଲା । ୨୦୧୯ ଜୁନ୍ ମାସରେ ବିଜେପି ର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ଓ ନିଜର ଜିତିବା ସିଟକୁ ଛାଡ଼ି ଦେଇ ବିଜେଡି ସମସ୍ତଙ୍କୁ ଚକିତ କରିଦେଇଥିଲା । ୨୦୨୨ ରେ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ଦେବାକୁ ବିଜେଡି ପଛାଇ ନାହିଁ ।

ଏଭଳି ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଉଥିବା ପ୍ରତ୍ୟୟ ହେଉଛି । ଯାହାଫଳରେ ତୃଣମୂଳ ସ୍ତରରେ ବିଜେପି କର୍ମୀମାନେ ଏକ ପ୍ରକାର ହତାଶ ହୋଇ ବିଜେଡି କୁ ମୁହାଇବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ । ରାଜ୍ୟରେ ନିର୍ବାଚନରେ ବିଜେପି ର କ୍ରମାଗତ ବିଫଳତା ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଂଗଠନ ର ମଙ୍ଗୁଆଳ ମାନଙ୍କର ପରିଚାଳନା କାର୍ଯ୍ୟକର୍ତ୍ତାଙ୍କର ମନରେ ଉତ୍ସାହ ଓ ଉର୍ଜ୍ଜା ପ୍ରଦାନ କରିବାରେ ଆଶାନୁରୂପ ଭାବେ ଫଳପ୍ରଦ ହୋଇପାରି ନାହିଁ ।

ସାମୁହିକ ଶକ୍ତିକୁ ପ୍ରଦାନ କରିବା ପରିବର୍ତ୍ତେ ସମସ୍ତ ବରିଷ୍ଠ ନେତୃବୃନ୍ଦ ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା କାର୍ଯ୍ୟକର୍ତ୍ତାଙ୍କ ମହଲରେ ଶୁଣିବାକୁ ମିଳୁଛି । ବିଶେଷ କରି କଳାହାଣ୍ଡିରେ ବିଜେପି ର ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଓଡ଼ିଶାରେ ବିଜେପି ଶାସକ ଦଳ ର ନୀତି ଯାହା ଅଛି ତାକୁ କାଟୁ କରିବାର ବାଟ ବାହାର ନକଲେ ବିଜେପି ର ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବା କଷ୍ଟକର ବୋଲି ଦଳ ର ବରିଷ୍ଠ ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି ।

Popular Articles