ବିପଦ ସଙ୍କୁଳ ଅବସ୍ଥାରେ ଝଞ୍ଜାବତୀ ବ୍ରିଜ, ଭାରିଯାନ ଗଲେ ଭାଙ୍ଗୁଛି ସାଇଡ୍ ୱାଲ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୮/୦୭): ଆନ୍ଧ୍ର-ଓଡ଼ିଶାର ଲାଇଫଲାଇନ କୁହାଯାଉଥିବା ଝଞ୍ଜାବତୀ ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଅବାଧରେ ଭାରିଯାନ ଚଳାଚଳ କରୁଥିବାରୁ ତାହା ଭୁଶୁଡ଼ି ଯିବାର ଆଶଙ୍କା କରାଯାଉଛି । ରାୟଗଡା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଝଞ୍ଜାବତୀ ନଦୀ ଉପରେ ଥିବା ବ୍ରିଜ ଉପରେ ଦୈନିକ ବହୁ ସଂଖ୍ୟାରେ ଭାରିଯାନ ଯାତାୟାତ କରୁଛି ।

୧୦ଟନରୁ କମ୍ ଓଜନ ବିଶିଷ୍ଟ ଭାରିଯାନ ଏହି ବ୍ରିଜ ଉପରେ ଯିବା ଆସିବା କରିବାର ନିୟମ ରହିଥିଲେ ବି ଏହା ଉଲ୍ଲଙ୍ଘନ ହେଉଛି । ପରିବହନ ବିଭାଗର ଅଣଦେଖା ଯୋଗୁଁ ଉକ୍ତ ବ୍ରିଜରେ ୪୦ଟନରୁ ଅଧିକ ଓଜନ ଭାରିଯାନ ଯାତାୟତ କରୁଛି । ୧୯୦୬ ମସିହାରେ ନିର୍ମିତ ଏହି ବ୍ରିଜର କୌଣସି ମରାମତି କାର୍ଯ୍ୟ ଏ ଯାଏଁ କରାଯାଇ ନାହଁ । ଶିଳ୍ପାଞ୍ଚଳ ଜିଲ୍ଲା ରାୟଗଡାକୁ ଦୈନିକ ଉକ୍ତ ବ୍ରିଜ ଦେଇ ଶହ ଶହ ଟ୍ରକ ପଡ଼ୋଶୀ ଆନ୍ଧ୍ରରୁ କାଠ ବୋଝେଇ ହୋଇ ଜେକେ କାଗଜକଳକୁ ଆସୁଛି । ଅନ୍ୟ ରାଷ୍ଟ୍ରାୟତ୍ତ କମ୍ପାନିକୁ କଞ୍ଚାମାଲ ମଧ୍ୟ ଏହି ରାସ୍ତା ଦେଇ ଆସୁଛି । କେତେବେଳେ କ’ଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ଗତ ଦୁଇ ବର୍ଷ ହେଲା ଆଉ ଏକ ବ୍ରିଜ ଏଠାରେ ନିର୍ମାଣ ହେଉଛି ।

ଦୀର୍ଘ ଦିନରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଭାରିଯାନ ଯିବା ଆସିବା କଲେ ବ୍ରିଜର ସାଇଡ୍‍ ୱାଲ ଅନେକ ସମୟରେ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ପୂର୍ତ୍ତ ବିଭାଗ ଏହାକୁ ଅଣଦେଖା କରି ମରାମତି କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୁଦ୍ଧିଆ ମାରାଣ୍ଡି କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ନୂତନ ବ୍ରିଜ ନିର୍ମାଣ ଶେଷ ହୋଇଯିବ । ଏଥିପାଇଁ କାମ ଚାଲିଛି ।

Comments are closed.