Related Contents

ଆଜିଠୁ ମାଓବାଦୀଙ୍କ ସହିଦ୍ ସପ୍ତାହ: ଆନ୍ଧ୍ର-ଓଡ଼ିଶା ସୀମା ସିଲ୍; କମ୍ବିଂ ଜୋରଦାର୍, ୨୯ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼ା(୨୮/୦୭): ମାଓବାଦୀଙ୍କ ସହିଦ୍ ସପ୍ତାହ । ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ତାରିଖରୁ ବିଭିନ୍ନ ମାଓ ସଙ୍ଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ । ଏହି ସପ୍ତାହ ପାଳନ ଅବସରରେ ମାଓବାଦୀମାନେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାଓ ଅଧ୍ୟୁଷିତ ଇଲାକାରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି । ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୁତୟନ ସିଆରପିଏଫ୍, ବିଏସଏଫ୍ ଯବାନଙ୍କ ସମେତ ଏସଓଜି, ଡିଭିଏଫ୍ ଯବାନ କମ୍ବିଂରେ ମୁତୟନ ହୋଇଛନ୍ତି । ଏହାଛଡ଼ା ଏହି ଇଲାକା ଅନ୍ତର୍ଗତ ୨୯ଟି ରୁଟ୍‌ରେ ସରକାରୀ ବସ୍‌ ଚଳାଚଳକୁ ଆଜି ମଧ୍ୟରାତ୍ରିରୁ ବନ୍ଦ ରଖାଯାଇଛି । ନିକଟରେ ମାଓବାଦୀ ରାୟଗଡା ସୀମାନ୍ତ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ହତ୍ୟା କରିଥିବାରୁ ପୁଲିସ୍ ସଜାଗ ରହିବା ସହ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛି । ତେବେ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଇଁ ଜୟପୁର, ରାୟଗଡ଼ା, ବ୍ରହ୍ମପୁର, ଭଂଜନଗର ଓଡ଼ିଶା ରାଜ୍ୟ ପରିବହନ ନିଗମ ଅଧୀନରେ ଥିବା ୨୯ଟି ରୁଟରେ ବସ୍ ଚଳାଚଳ ବନ୍ଦ ରହିଛି । ବ୍ରହ୍ମପୁରରୁ ବାଲିମେଳା, ବ୍ରହ୍ମପୁରରୁ ଉମରକୋଟ, ବ୍ରହ୍ମପୁରରୁ ରାୟଗଡ଼ା ଓ ବ୍ରହ୍ମପୁରରୁ ଭବାନୀପାଟଣାକୁ ଯାଉଥିବା ବସ୍‌ଗୁଡ଼ିକ ବନ୍ଦ ଥିବାବେଳେ ଭଞ୍ଜନଗରରୁ ମାଲକାନଗିରି ଯାଉଥିବା ୨ଟି ବସ୍‌, ଭଞ୍ଜନଗରରୁ ସୁନାବେଡ଼ା, ଭଞ୍ଜନଗରରୁ ଇନ୍ଦ୍ରାବତୀ ଯାଉଥିବା ଗୋଟିଏ ଲେଖାଏଁ ବସ୍‌ ବନ୍ଦ ରହିବ । ଜୟପୁର ଡିଟିଏମ୍ ଚିତ୍ତ ରଂଜନ ସାହୁଙ୍କ ସୂଚନାନୁଯାୟୀ, ଜୟପୁର ଓଏସଆରଟିସି ଅଧୀନରେ ଥିବା ୧୬ଟି ରୁଟରେ ବସ୍ ଚଳାଚଳ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜୟପୁର-ଭଦ୍ରାଞ୍ଚଳମ୍, ଜୟପୁର-ମାଲକାନଗିରି, ଜୟପୁର-ରାୟଗଡା, ଜୟପୁର-ଗୁପ୍ତେଶ୍ବର, ଜୟପୁର-ପାର୍ବତୀପୁର, ଜୟପୁର-କୋଟିଆ, ଜୟପୁର-ଆରୁକୁ, ଜୟପୁର-ଚିତ୍ରକୋଣ୍ଡା, ଜୟପୁର-ଫୁଲବାଣୀ, ଜୟପୁର-ପାରଳାଖେମୁଣ୍ଡି, ମୋଟୁ, ନାରାୟଣପାଟଣା, କାଶୀପୁର ଓ ଦଶମନ୍ତପୁର ରୁ‌ଟରେ ଗାଡି ଗଡିବନି ।

ସେହିପରି ରାୟଗଡା ଓଏସଆରଟିସି ଅଧୀନରେ ଥିବା ୬ଟି ରୁଟ୍ ରାୟଗଡା-ଥୁଆମୂଳରାମପୁର, ରାୟଗଡା-ଚନ୍ଦ୍ରପୁର, ରାୟଗଡା-ନାରାୟଣପାଟଣା, ରାୟଗଡା-ଗୁଲୁଗୁଡା (ମୋହନା), ସାନ୍ଦୁବାଡି-ନାରାୟଣପାଟଣାକୁ ଗାଡି ଚଳାଚଳ କରିବନି ବୋଲି ଡିଟିଏମ୍ ଭି. ଆର. ରାଓ କହିଛନ୍ତି । ସେହିପରି ବ୍ରହ୍ମପୁର ଡିଟିଏମ୍ ଅଧୀନରେ ଥିବା ବ୍ରହ୍ମପୁର-ରାୟଗଡା, ବ୍ରହ୍ମପୁର-ଚିତ୍ରକୋଣ୍ଡା, ବ୍ରହ୍ମପୁର-ବାଲିମେଳା, ଭଂଜନଗର ଡିଟିଏମ୍ ଅଧୀନରେ ଥିବା ଭଂଜନଗର-ବାଲିମେଳା, ଭଂଜନଗର-ମାଲକାନଗିରି, ଭଂଜନଗର-ସୁନ‌ାବେଡା, ଭଂଜନଗର-ଜୟପୁରକୁ ଗାଡି ଚଳାଚଳ କରିବ ନାହିଁ । ଆସନ୍ତା ଅଗଷ୍ଟ ୪ତାରିଖରେ ବସ୍‌ ଚାଳଚଳ ସ୍ବାଭାବିକ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ରୁଟରେ ଚଳାଚଳ କରୁଥିବା ବେସରକାରୀ ବସ୍ ଆନ୍ଧ୍ର ରୁଟ ଦେଇ ଯାତାୟାତ କରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି । ରାୟଗଡ଼ାରେ ମାଓବାଦୀଙ୍କ ସ୍ଥିତି ପ୍ରଭାବହୀନ ସ‌ତ୍ତ୍ବେ ସଜାଗ ରହିଛି ପୁଲିସ୍। ପଡ଼ୋଶୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଆନ୍ଧ୍ରରେ ମାଓବାଦୀଙ୍କ ଗତିବିଧି ଥିବାରୁ ଯେ କୌଣସି ମୁହୂର୍ତରେ ଆତ୍ମଗୋପନ ପାଇଁ ରାୟଗଡ଼ାକୁ ପଶି ଆସି ପାରନ୍ତି ମାଓବାଦୀ । ଗୁଇନ୍ଦା ବିଭାଗର ଏହି ସୂଚନା ପରେ ପୁଲିସ୍, ସିଆରପିଏଫ୍, ବିଏସଏଫ୍ ଯବାନ କମ୍ବିଂ ଅପରେସନକୁ ଜୋରଦାର୍ କରିଛନ୍ତି । ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଓ ନିକଟସ୍ଥ ଜଙ୍ଗଲ ଉପରେ ସୁରକ୍ଷା ବାହିନୀ କଡ଼ା ନଜର ରଖିବା ସହିତ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସର୍ଚ ଅପରେସନ୍ ଜାରି ରଖିଛି। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ନାକାବନ୍ଦୀ କରି ସୁରକ୍ଷା ବାହିନୀ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଖାନତଲାସି କରିବା ପରେ ଛାଡ଼ୁଛି । ସେହିପରି ସିଆରପିଏଫ୍ ଓ ବିଏସ୍ଏଫ୍ କ୍ୟାମ୍ପ ସମ୍ମୁଖରେ ନାକାବନ୍ଦୀ କରିଛନ୍ତି ଯବାନ । ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡା, କାଶୀପୁର ବ୍ଲକ୍ ମାଓ ପ୍ରଭାବିତ ଇଲାକା ହୋଇଥିବାରୁ ଏହି ସବୁ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ରଖିଛି ପୁଲିସ୍ । ରାୟଗଡ଼ାରେ ବଂଶଧାରା-ନାଗାବଳୀ ଡିଭିଜନ୍, ନିୟମଗିରି ଏରିଆ କମିଟି, ସୀମାନ୍ତ କୋରାପୁଟରେ କୋରାପୁଟ-ଶ୍ରୀକାକୁଲମ୍, ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ୍ କମିଟି, ନନ୍ଦପୁର ଏରିଆ କମିଟି ମାଓ ସଂଗଠନର ନେତୃତ୍ବ ନେଉଛି । ସହିଦ୍ ଦିବସ ପୂର୍ବରୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିଂମାଶୁ ଲାଲ୍ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସହିଦ୍ ସପ୍ତାହରେ ମାଓବାଦୀ ଯେମିତି କିଛି ଅଘଟଣ ନ ଘଟାନ୍ତି ସେଥିପ୍ରତି ସର୍ତକ ରହିବାକୁ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି । ଏ ସଂପର୍କରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍‌ କହିଛନ୍ତି ଯେ ସହିଦ୍ ସପ୍ତାହକୁ ନେଇ ପୁଲିସ୍ ସଜାଗ ରହିଛି । ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଗୁଇନ୍ଦା ସୂଚନାକୁ ଭିତ୍ତି କରି ଅପରେସନ୍ ଚାଲିଛି ।

Comments are closed.