Related Contents

ଗାଁରୁ ନିଆଁ ପାଣି ବାସନ୍ଦ, ପୀଡିତ ପରିବାର ଥାନାର ଦ୍ୱାରସ୍ଥ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୨୭/୦୭): ଲୋଇସିଂହା ଥାନା ଅମାମୁଣ୍ଡା ଗ୍ରାମରେ ଜଣେ ଶିଶୁଙ୍କ ମୃତ୍ୟୁକୁ କେନ୍ଦ୍ର କରି ସ୍ଥାନୀୟ ଜନୈକା ମହିଳା ଓ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । କେବଳ ସେତିକି ନୁହେଁ, ପରେ ସଂପୃକ୍ତ ପରିବାରକୁ ଗ୍ରାମବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହିତ ସେମାନଙ୍କୁ ଗ୍ରାମରୁ ତଡି ଦେଇଥିବା ଜଣାଯାଇଛି । ଏ ନେଇ ପୀଡିତା ଜଣକ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିଯୋଗ ମତେ ଅମାମୁଣ୍ଡା ଗାଁର ଖତ ଚିର୍ଗୁଣ (୭୨) ନାମ୍ନୀ ଜନୈକା ବୃଦ୍ଧା ଗତ ମେ ମାସ ୩ ତାରିଖରେ ନିଜର ତିନି ଜଣ ନାତି ନାତୁଣୀଙ୍କୁ ଧରି ନିକଟସ୍ଥ ମନହୀରା ଗ୍ରାମସ୍ଥିତ ପୋଖରୀକୁ ଗାଧୋଇ ଯାଇଥିଲେ । ସେହି ସମୟରେ ଗ୍ରାମର ପଟାରୀ ଚିର୍ଗୁଣଙ୍କ ନାବାଳକ ପୁଅ ପପୁନ ମଧ୍ୟ ସେହି ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ । ପପୁନ ପୁରୁଷଙ୍କ ପାଇଁ ଉଦ୍ଧିଷ୍ଟ ଘାଟରେ ଗାଧୋଉ ଥିବା ବେଳେ ଖତ ଗାଧୋଇ ସାରି ନିଜ ନାତି ନାତୁଣୀଙ୍କ ସହିତ ଘରକୁ ଫେରି ଆସିଥିଲେ । ତେବେ ଦୀର୍ଘ ସମୟ ପରେ ମଧ୍ୟ ପପୁନ ଘରକୁ ଫେରି ନ ଥିଲେ । ପରେ ପପୁନଙ୍କୁ ପାଣିରେ ବୁଡି ଯାଇଥିବା ଅବସ୍ଥାରେ ଘର ଲୋକେ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନା ନେଇଥଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେତେବେଳେ ଲୋଇସିଂହା ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପପୁନଙ୍କ ଶବ ବ୍ୟବଚ୍ଛେଦ କରା ନ ଯାଇ ଘର ଲୋକେ ମୃତଦେହକୁ ସତ୍କାର କରି ଦେଇଥିଲେ । ଅପରପକ୍ଷରେ ପପୁନଙ୍କ ମୃତ୍ୟୁ ପାଇଁ ବୃଦ୍ଧା ଖତଙ୍କୁ ଦାୟୀ କରି ଗତ ମେ ମାସ ୧୦ ତାରିଖରେ ଗ୍ରାମରେ ଏକ ବୈଠକ ବସିଥିଲା । ବୈଠକକୁ ଖତଙ୍କ ବୋହୁ ସିତୟାଙ୍କୁ ଡକାଯିବା ସହିତ ତାଙ୍କୁ ଗ୍ରାମ ଛାଡି ଚାଲିଯିବା ପାଇଁ କୁହାଯାଇଥିଲା । ସେହି ମାସ ୧୩ ତାରିଖରେ ସିତୟା ଏ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏ ନେଇ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ବୁଝାମଣା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ଗତ ମେ ୧୬ରେ ଗ୍ରାମର କେତେକ ବ୍ୟକ୍ତି ସିତୟାଙ୍କ ପରିବାରକୁ ଆକ୍ରମଣ କରିବା ସହିତ ତାଙ୍କୁ ଗ୍ରାମରୁ ତଡି ଦେଇଥିବା ନେଇ ସେ ଜୁଲାଇ ୧୯ରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଗ୍ରାମର ୧୫ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Comments are closed.