Friday, March 29, 2024

Top 5 This Week

Related Posts

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ୍‌, (୦୯/୦୮) : ଆମେରିକା ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌ ! ସୋମବାର ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି । ଏ ନେଇ ଖୋଦ୍‌ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଆମେରିକା ର ରାଷ୍ଟ୍ରପତି ଥିବା ବେଳେ ଟ୍ରମ୍ପ ହ୍ୱାଇଟ୍‌ ହାଉସରୁ କିଛି ଅତ୍ୟବଶ୍ୟକ ଡକ୍ୟୁମେଣ୍ଟ ତାଙ୍କ ଘରକୁ ନେଇ ଆସିଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ାଉ ବେଳେ ଏଫ୍‌ବିଆଇ ହାତରେ ଅନେକ ସିକ୍ରେଟ୍‌ ଡକ୍ୟୁମେଣ୍ଟ ଲାଗିଛି । ତେବେ ଟ୍ରମ୍ପ ଜାଣିଶୁଣି ଏହି ଡକ୍ୟୁମେଣ୍ଟଗୁଡିକୁ ନିଜ ଘରକୁ ଆଣିଥିଲେ ନା ଭୁଲ୍‌ବଶତଃ ଆସିଥିଲା, ସେ ନେଇ ତଦନ୍ତ ହେବ ।

ସେପଟେ ଆମେରିକା ର ନ୍ୟାୟ ବିଭାଗ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୋମବାର ସକାଳେ ଚଢ଼ାଉ ଆରମ୍ଭ ହୋଇଥିଲା, ଯାହାକି ଅନେକ ଘଣ୍ଟା ଧରି ଚାଲିଥିଲା । ଚଢ଼ାଉ ବେଳେ ଉକ୍ତ ଘରେ ଟ୍ରମ୍ପଙ୍କ ସମେତ ତାଙ୍କର ଦୁଇ ଜଣ ଓକିଲ ମଧ୍ୟ ଉପସ୍ଥିତ ଥିଲେ । ତେବେ ଟ୍ରମ୍ପଙ୍କ ବାସଭବନରେ ହୋଇଥିବା ଚଢ଼ାଉ ସମ୍ପର୍କରେ ଆମେରିକା ନ୍ୟାୟ ବିଭାଗ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି ।

ଦି ନ୍ୟୁୟର୍କ ଟାଇମ୍ସ ଏବଂ ରଏଟର୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ କହିଛନ୍ତି ଯେ ବହୁ ସଂଖ୍ୟକ ଏଫବିଆଇ ଏଜେଣ୍ଟ ତାଙ୍କ ମାର-ଏ-ଲାଗୋ ଘରେ ଚଢ଼ାଉ କରିଛନ୍ତି । ତେବେ ଏହି ଘଟଣାରେ ଏଫବିଆଇ ମୁଖ୍ୟାଳୟ ଏବଂ ମିଆମି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିରବତା ଅବଲମ୍ବନ କରାଯାଇଛି । ନ୍ୟୁୟର୍କ ଟାଇମ୍ସ ଏହି ଘଟଣାରେ ଚଢ଼ାଉରେ ସମ୍ପୃକ୍ତ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନାରୁ ଜଣାଯାଇଛି ଯେ କାର୍ଯ୍ୟକାଳ ଶେଷ ହେବା ପରେ ଟ୍ରମ୍ପ ହ୍ୱାଇଟ୍ ହାଉସରୁ ଫ୍ଲୋରିଡା ଘରକୁ ନେଇଥିବା ଡକ୍ୟୁମେଣ୍ଟ ବାକ୍ସ ଖୋଜା ଚାଲିଛି ।

ଏହାକୁ ନେଇ ଟ୍ରମ୍ପ କହିଛନ୍ତି, ୨୦୨୪ ରେ ରାଷ୍ଟ୍ରପତି ନିର୍ବାଚନରେ ସେ ଯେପରି ପ୍ରାର୍ଥୀ ନ ହୁଅନ୍ତି, ସେଥିଲାଗି ଏହି ଚଢ଼ାଉ କରାଯାଉଛି । ଏହା ଆମ ଦେଶ ପାଇଁ ଅନ୍ଧକାର ସମୟ । ଏହା ପୂର୍ବରୁ ଆମେରିକାର କୌଣସି ବି ରାଷ୍ଟ୍ରପତିଙ୍କ ସହ ଏଭଳି ହୋଇନଥିଲା । ସରକାରୀ ତଦନ୍ତକାରୀ ସଂସ୍ଥା ସହଯୋଗ କରିବା ବଦଳରେ ମୋ ଘରେ ବିନା ସୂଚନାରେ ଚଢ଼ାଉ କରିବା ଅନୁଚିତ ବୋଲି ଟ୍ରମ୍ପ କହିଛନ୍ତି ।

Popular Articles