ବେଆଇନ ପାଣି ଫେଂକ୍ଟ୍ରି ମାଲିକଙ୍କ ସାମ୍ବାଦିକଙ୍କ ଦୁର୍ବ୍ୟବହାର, ଉଭୟ ପକ୍ଷର ଥାନାରେ ଏତଲା

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୨୫/୦୭): ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସିରେ ବେଧଡ଼କ ଭାବେ ବେଆଇନ ପାଣି ପାଉଜ, ଗ୍ଲୁକୋଜ, ପାଣି ବୋତଲ ତିଆରି ହେଉଛି । ଗୋଟିଏ ପଟେ ପାଣି ପାଉଜ୍ ବନ୍ଦ କରାଯାଉଥିବା ବେଳେ ଏହି ବେଆଇନ୍ କମ୍ପାନୀକୁ ନେଇ ନିକଟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ତେବେ ଖବର ପ୍ରକାଶ ପାଇବା ପରେ ସଂପୃକ୍ତ କମ୍ପାନୀ ମାଲିକ ଉତକ୍ଷିପ୍ତ ହୋଇ କିଛି ସାମ୍ବାଦିକ ମାନଙ୍କ ନାମରେ ମିଥ୍ୟା କେଶ୍ ରେ ଛନ୍ଦିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ତେବେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ କୋଦଳା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତରେ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ବେଳେ ତହସିଲଦାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଥାର ତାଳମେଳ ରହୁ ନ ଥିବା ସହ କୋଦଳା ପୋଲିସ୍ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କୋଦଳା ଏନଏସି ଅନ୍ତର୍ଗତ ଲୁହାଶଙ୍ଖ ନିକଟରେ ଦୀର୍ଘ ଦିନ ଧରି ୨ଟି ପାଣି ଫେଂକ୍ଟ୍ରି ବେଆଇନ ଭାବେ ଚାଲିଛି | କିଛି ରାଜନେତାଙ୍କୁ ହାତମୁଠାରେ ରଖି ନିରୀହ ଲୋକଙ୍କ ଜୀବନକୁ ନେଇ ଖେଳ ଖେଳୁଛନ୍ତି ଏହି ଫେଂକ୍ଟ୍ରି ମାଲିକ । ଏହି ଫେଂକ୍ଟ୍ରିରେ ବେନିୟମ ଭାବରେ ପାଣି ପାଉଜ, ପାଣି ବୋତଲ, ଇଟା ଗ୍ଳୁକୋଜ ଏବଂ କିଛି କୋଲଡ୍ରିଙ୍କସ ମଧ୍ୟ ତିଆରି କରି ବିଭିନ୍ନ ଅଞ୍ଚଳକୁ ସପ୍ଲାଇ କରାଯାଉଛି | କୋଦଳା ଏନଏସି ମୁଖ୍ୟ ରାସ୍ତାରେ ଏହି ପାଣି ଫେଂକ୍ଟ୍ରି ବେଆଇନ ଭାବେ ଚାଲୁଥିଲେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ | ଏନ୍ ଏ ସିରୁ ନୋ ଅବଜେକସନ୍ ସାର୍ଟିଫିକେଟ ନ ପାଇବା ଏବଂ ଅନ୍ୟାନ୍ୟ କାଗଜପତ୍ର ହାସଲ ନ କରି ବିନା ଲାଇସେନ୍ସରେ ଏହି ଫେଂକ୍ଟ୍ରି ଚାଲୁଥିଲେ ମଧ୍ୟ ପ୍ରଶାସନ କାହିଁକି ଚୁପ ବସିଛି ତାହା ଏବେ ସନ୍ଦେହ ଘେରରେ | ଅପରପକ୍ଷେ ଏହି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଭଗବାନ ପାଢ଼ୀ ଓ ସାମ୍ବାଦିକ ସନ୍ତୋଷ କୁମାର ସେଠୀଙ୍କୁ ଦୁର୍ବ୍ୟବହାରକୁ ନେଇ ଥାନାରେ ୨ଟି ଏତଲା ଦିଆଯାଇଛି ଏବଂ ସଂପୃକ୍ତ ମାଲିକ ସାମ୍ବାଦିକଙ୍କ ଉପରେ ମଧ୍ୟ ଏତଲା ଦେଇଥିବା ବେଳେ ସାମ୍ବାଦିକ ସନ୍ତୋଷ ସେଠୀ ଦେଇଥିବା ଏତଲାକୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗ୍ରହଣ କରି ନାହିଁ | ଯାହାଫଳରେ ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି | ଅପରପକ୍ଷର ଏତଲାକୁ ଗୁରୁତ୍ୱ ଦେଇ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି | ଏଣୁ ଗଞ୍ଜାମ ଏସପି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଓଡିଶା ସାମ୍ବାଦିକ ସଂଘ ତରଫରୁ ଦାବି ହୋଇଛି | ପୋଲିସ ନିରପେକ୍ଷ ତଦନ୍ତ କରିବା ସହିତ ସଂପୃକ୍ତ ବେଆଇନ ପାଣି ଫେଂକ୍ଟ୍ରି କୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି |

Comments are closed.