ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା.(୦୬/୦୮) : କଳାହାଣ୍ଡି ପୋଲିସକୁ ବଡ ସଫଳତା ମିଳିଥିବା ସମ୍ପର୍କରେ କଳାହାଣ୍ଡି ଏସପି ଙ୍କ ସୂତ୍ରରୁ ଜଣାପଡିଛି । ପୋଲିସ ପଞ୍ଝାରେ ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ ।
ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଗତ ଏପ୍ରିଲ ମାସ ଠାରୁ ଆତଙ୍କ ଖେଳାଇଥିବା ଏହି ଡକାୟତ ଦଳ ବିଭିନ୍ନ ଗ୍ରାମରେ ଲୁଟତରାଜ ଚଳାଇ ଆସୁଥିବା ପ୍ରତ୍ୟହ ଗଣମାଧ୍ୟମ ରୁ ଜଣାପଡୁଥିଲା । ବର୍ତ୍ତମାନ ପୋଲିସ ପଞ୍ଝାରେ ଧରା ପଡିଛନ୍ତି ଜିଲ୍ଲାରେ ଆତଙ୍କ ଖେଲାଇଥିବା ଡକାୟତ ଦଳ । କଳାହାଣ୍ଡି ସୀମାନ୍ତ ଆମପାଣି ଅଞ୍ଚଳରୁ ଆରମ୍ଭ କରି ସନ୍ଧିକୁଲିହାରୀ, ଗୋଲାମୁଣ୍ଡା ର ତୁମୁରା, କଲମପୁର, ଜୟପାଟଣା ଆଦି ଧର୍ମଗଡ ଉପଖଣ୍ଡ ର ପ୍ରାୟ ସମସ୍ତ ଗ୍ରାମରେ ଚୋର ଭୟରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଗାଁ ଗାଁ ରେ ଲୋକେ ରାତିସାରା ପ୍ରହରା ଦେଉଥିବାର ଘଟଣା ମାନ ଜଣାପଡୁଥିଲା । ଏପରିକି ଅନେକ ସମୟରେ ସାଧାରଣ ଲୋକେ ମଧ୍ୟ ଅଜଣା ଲୋକ ଭାବରେ କେତେକ ଗାଁରେ ହଇରାଣ ହରକତ ହୋଇଥିବା ଘଟଣା ମଧ୍ୟ ଲୋକ ଲୋଚନକୁ ଆସିଥିଲା ।
ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏହି ଡକାୟତ ଦଳ ଦ୍ୱାରା ସମଗ୍ର ଗ୍ରାମଞ୍ଚଳ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ପୋଲିସ ର ମୁଣ୍ଡବ୍ୟଥା ବଢିଯାଇଥିଲା । ଦୀର୍ଘ ଦିନରୁ କଳାହାଣ୍ଡି ଏସପି ଅଭିଲାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜାଲ ବିଛାଇ ଆତଙ୍କ ଖେଳାଉଥିବା ଏହି ଦଳକୁ ଧରିବାକୁ ଯୋଜନା କରୁଥିବା ବେଳେ ଶେଷରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି ।
ପୋଲିସ ପଞ୍ଝାରେ ଆତଙ୍କ ଖେଳାଉଥିବା ଏହି ଡକାୟତ ଦଳ ପଡିଯାଇଥିବା ବେଳେ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ନବରଙ୍ଗପୁର ଜିଲ୍ଲା ର ଇମାନୁଏଲ ହରିଜନ, ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ, କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲା ର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲା ଖଇରପଦର ଗ୍ରାମ ର ପରମେଶ୍ୱର ବାଗ, ପଂଜିଆ ଗ୍ରାମ ର ସୋମେଶ୍ୱର ନାଏକ, ଖମାର ହଲଦି ଗ୍ରାମର ରୋହିତ ନିଆଲ ଏବଂ ସେମାନଙ୍କ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜୟପାଟଣା ଗ୍ରାମ ର ଦିନେଶ ବୈଠାରୁ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା, ୫ ଗୋଟି ମଡର ସାଇକେଲ, ୧୧ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା, ୪,୪୭,୭୪୦ ଗ୍ରାମ ରୂପା ସହ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ଜଣାପଡିଛି ।
ବିଭିନ୍ନ ଘଟଣା ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା ଥାନାରେ କେଶ ନଂ. ୩୮/୨୦୨୨ ଓ ୧୦୬/୨୦୨୨, ଧର୍ମଗଡ ଥାନା କେଶ ନଂ.୧୪୧/୨୦୨୨, ୧୦୮/୨୦୨୨, ୧୦୪/୨୦୨୨, ୧୩୭/୨୦୨୨, ଆମପାଣି ଥାନା କେଶ ନଂ. ୬୫/୨୦୨୨, ୧୦୧/୨୦୨୧, କୋକସରା ଥାନା କେଶ ନଂ. ୯୨/୨୦୨୨, ୧୭୮/୨୦୨୨ ଓ ଜୟପାଟଣା ଥାନା କେଶ ନଂ. ୨୬୬/୨୦୨୨ ରୁଜ୍ଜୁ ହୋଇଥିବା ପ୍ରକାଶ ।