Related Contents

ମଦ ବିକ୍ରି ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ବିକ୍ଷୋଭ-ହଜାର ହଜାର ମଦ ପାଉଚ ନଷ୍ଟ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୨୫/୦୭): ଲୋଇସିଂହା ଥାନା ବୁର୍ଡା ଗ୍ରାମରେ ଦେଶୀ ଓ ବିଦେଶୀ ମଦର ବେଆଇନ କାରବାର କ୍ରମଶଃ ବଢି ଚାଲିଥିବା ଯୋଗୁଁ ମଦ ବିକ୍ରି ବନ୍ଦ କରିବା ପାଇଁ ଅନେକ ସମୟରେ ଦାବି ହୋଇ ଆସୁଥିଲା । ତେବେ ଉଭୟ ପୋଲିସ ଓ ଅବକାରୀ ବିଭାଗ ମଦ ବିକ୍ରେତାଙ୍କ ଠାରୁ ଅନୁଚିତ ଅନୁଗ୍ରହ ଲାଭ କରୁଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ ରହୁଥିଲେ ।

ଏପରିକି ଆଗତୁରା ଖବର ପାଇ ଯାଉଥିବାରୁ ଚଢ଼ାଉ ସମୟରେ ମଦ ବେପାରୀ ମାନେ ଫେରାର ହୋଇ ଯାଉଥିଲେ । ମଦ ବିକ୍ରି ବନ୍ଦ କରିବା ଦାବିରେ ତଥା ମଦୁଆଙ୍କ ଉତ୍ପାତରେ ଅତିଷ୍ଠ ହୋଇ ଗତ ସୋମବାର ଲୋଇସିଂହା ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଲା ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ବେଆଇନ କୁଚିଆ ମଦକୁ ରୋକିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ମହିଳା ମାନେ ଉତ୍ୟକ୍ତ ଅବସ୍ଥାରେ ରହିଥିଲେ । ଗତକାଲି ବଲାଂଗୀର ଓ ଲୋଇସିଂହାର ଅବକାରୀ ବିଭାଗ ମିଳିତ ଭାବେ ଏଠାରେ ଚଢ଼ାଉ କରିଥିଲେ ମଧ୍ୟ ବିଭାଗୀୟ ସଲାସୁତୁରା ଯୋଗୁଁ କୁଚିଆ ମଦ ଠାବ ହୋଇ ନ ଥିଲା କି କୌଣସି ମଦ ବେପାରୀ ଗିରଫ ହୋଇ ପାରି ନଥିଲେ । ଫଳରେ ଉତ୍ୟକ୍ତ ମହିଳାମାନେ ଆଜି ଆଇନକୁ ହାତକୁ ନେବା ସକାଶେ ବୁର୍ଡା-ମେଣ୍ଡା ରାସ୍ତାକଡ଼ରେ ଥିବା ସରକାରୀ ଦେଶୀ ମଦଭାଟି ନିକଟରେ ଏକତ୍ରିତ ହୋଇଥିଲେ । ବୁର୍ଡା ସ୍ଥିତ ସରକାରୀ ଦେଶୀ ମଦଭାଟିକୁ ନିକଟସ୍ଥ ଲୋଇସିଂହା ଭାଟିରୁ ମଦ ବିକ୍ରି ପାଇଁ ଆସୁଥିବା ବେଳେ ଏହା କେବଳ ଏକ ମଦ ବିକ୍ରି କେନ୍ଦ୍ର ଥିଲା ।

ବିଭିନ୍ନ ମଦ ବିରୋଧୀ ସ୍ଲୋଗାନ ଦେଇ ଶତାଧିକ ମହିଳା ମଦ ଭାଟି ଭିତରେ ପଶି ହଜାର ହଜାର ପାଉଚ ମଦ ଆଣି ବାହାରେ ନଷ୍ଟ କରି ଦେଇଥିଲେ । କୁକୁଡ଼ା ଫାର୍ମ ନାଁରେ ଏଠାରେ ମଦ ବିକ୍ରି କରାଯାଉଥିବା ଅଭିଯୋଗ କରି ଆଜିଠାରୁ ମଦ ବିକ୍ରି ବନ୍ଦ କରିବା ସହିତ ଏହି ଦେଶୀ ମଦ ଭାଟି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ସକାଶେ ଦାବି ହୋଇଛି ।

Comments are closed.