ଦୀର୍ଘ ୯ ମାସ ହେଲା ଜିଲ୍ଲାପରିଷଦ ବୈଠକ ବସିନାହିଁ ବୋଲି ଜିଲ୍ଲାର ବିକାଶ ଠପ ହୋଇରହିଛି

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼ (୨୧/୦୭): ରାୟଗଡ଼ ଜ଼ିଲ୍ଲା ପରିଷଦର ଶେଷ ବୈଠକ ୨୦୧୮ମସିହା ଅକ୍ଟୋବର ମାସରେ ବସିଥିଲା | ଇତିମଧ୍ୟରେ ଦୀର୍ଘ ୯ ମାସରୁ ଉର୍ଦ୍ଧ ହେଲାଣି ଜ଼ିଲ୍ଲା ପରିଷଦ ବୈଠକ ଡକାଯାଇନି, ଯଦ୍ୱାରା ଗ୍ରାମାଞ୍ଚଳର ବିକାଶ ପାଇଁ ଉନ୍ନୟନ ଯୋଜନା ପାଇଁ ବ୍ଲକ ଓ ଲାଇନ ଡିପାର୍ଟମେଣ୍ଟର କୋଟି କୋଟି ଟଙ୍କା ପଡ଼ିରହିଛି | କିନ୍ତୁ ବିକାଶ ମୂଳକ କାମ ହୋଇପାରୁନାହିଁ |

ଏହାର ମୁଖ୍ୟ କାରଣ ହେଲା ଜ଼ିଲ୍ଲା ପରିଷଦ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ଅନୁମୋଦିତ ହେଲା ପରେ ଉନ୍ନୟନ ମୂଳକ କାମ ଆରମ୍ଭ ହୋଇଥାଏ | କିନ୍ତୁ ଜ଼ିଲ୍ଲା ପରିଷଦ ବୈଠକ ହୋଇ ନ ଥିବାରୁ ପ୍ଲାନ ଅନୁମୋଦନ ନ ହୋଇ ପଡିଛି ଓ ବିକାଶ ଧାରା ହୋଇପାରୁନି | ଗତ ୧୧ ଡିସେମ୍ବର ୨୦୧୮ରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗଙ୍କ ପଦକୁ ମାନ୍ୟବର କୋର୍ଟ ରଦ୍ଦ କରିଥିଲେ | କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ହାଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଷ୍ଟେ ନିମନ୍ତେ କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ | କିନ୍ତୁ ଏହିଠାରେ ଜ଼ିଲ୍ଲା ପ୍ରଶାସନ ଉପାଧ୍ୟକ୍ଷଙ୍କ ଜରିଆରେ ଡାକି ପାରିଥାନ୍ତେ କିନ୍ତୁ ଜ଼ିଲ୍ଲା ପ୍ରସାଶନ ଏହା କଲେ ନାହିଁ | ଏହା ପରେ ନିର୍ବାଚନ ଆଚରଣ ଵିଧି ଲାଗୁହେଲା | ଏପ୍ରିଲ ୧୧ତାରିଖ ୨୦୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ମେ ୨୩ ୨୦୧୯ରେ ନିର୍ବାଚନ ଫଳାଫଳ ଘୋଷଣା ପରେ ନିର୍ବାଚନ ଆଚରଣ ଵିଧି ଉଠିଥିଲା | ଇତି ମଧ୍ୟରେ ଆଚରଣ ଵିଧି ଉଠି ଦୀର୍ଘ ଦୁଇ ମାସ ବିତିଗଲାଣି କିନ୍ତୁ ଜ଼ିଲ୍ଲା ପରିଷଦ ବୈଠକ ଡକାଯାଇନି | ଆଚରଣ ଵିଧି ପରେ ବର୍ତମାନ ବିଧାନସଭା ଓ ଲୋକସଭା ଅଧିବେଶନ ଚାଲଛି ତେଣୁ ବୈଠକ ଡକାଯାଇପାରୁନାହଁ ଯଦ୍ୱାରା ଜ଼ିଲ୍ଲାର ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟ ହୋଇପାରିନାହିଁ | ଦୁଃଖର ବିଷୟ ୨୦୧୮-୧୯ ଆର୍ଥିକ ବର୍ଷରେ ୪ ଗୋଟି ଜ଼ିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହେବା କଥା ମାତ୍ର ୨ଟି ବୈଠକରେ ସୀମିତ ରହିଲା |

ବର୍ତ୍ତମାନ ୨୦୧୯ -୨୦ ଆର୍ଥିକ ବର୍ଷ ର ତିନି ମାସ ବିତିଗଲା କିନ୍ତୁ ଜ଼ିଲ୍ଲା ପରିଷଦ ବୈଠକ କେବେ ଡକାଯିବ ତାହା ସନ୍ଦେହ ଘେରରେ | ଜ଼ିଲ୍ଲାପାଳ କହିଛନ୍ତି ଯେ ମାନ୍ୟବର ବିଧାୟକ ଓ ଲୋକସଭା ସାଂସଦ ଏହି ଜ଼ିଲ୍ଲା ପରିଷଦର ସଭ୍ୟ ଅଛନ୍ତି ତେଣୁ ଅଧିବେଶନ ଶେଷ ପରେ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ଦ୍ୱାରା ଜ଼ିଲ୍ଲା ପରିଷଦ ବୈଠକ ଡକାଯିବ ଓ ଜ଼ିଲ୍ଲାର ବିକାଶ ଧାରାକୁ ଚାଲୁ ରଖାଯିବ ବୋଲି ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏକ ସାକ୍ଷାତକାରରେ କହିଛନ୍ତି |

Comments are closed.