ମାଟିରେ ମିଶିଲା ନବନିର୍ମିତ ଲକ୍ଷାଧିକ ଟଙ୍କାର ଡ଼ଗୱେଲ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୦/୦୭): ଗ୍ରାମାଞ୍ଚଳର ଉନ୍ନତି ସହ ଗରିବ ଶ୍ରେଣୀର ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଛି ଏବଂ ଏହି ମାଧ୍ୟମରେ ରାଜକୋଷରୁ କୋଟି କୋଟି ଟଙ୍କାର ବିଭିନ୍ନ ବ୍ୟକ୍ତିଗତ ଓ ସାମୁହିକ ପ୍ରକଳ୍ପ ନିର୍ମାଣ ହେଉଛି | କିନ୍ତୁ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ସରକାର ଟଙ୍କା ମାଟିରେ ମିଶିଯାଉଛି |

ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ମହୁଲି ପଞ୍ଚାୟତ ଅନ୍ତର୍ଗତ ତୋଲାରେ | ମହୁଲି ପଞ୍ଚାୟତ ତୋଲା ଗ୍ରାମର ଜଣେ ହିତାଧିକାରୀ ଚାଷୀ ସୋମନାଥ ଜାମୁଗୁଡିଆଙ୍କୁ ସରକାରଙ୍କ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତିର ଆର୍ଥିକ ବର୍ଷ ୨୦୧୮-୧୯ଅନୁଯାୟୀ ୧,୫୦,୦୦୦ଟଙ୍କା ଅନୁଦାନରେ ଏକ ଡଗୱେଲ ମଞ୍ଜୁର କରାଯାଇଥିଲା ଏବଂ ନିର୍ମାଣ ମଧ୍ୟ ଶେଷ ହୋଇଥିଲା | କିନ୍ତୁ କିଛି ଦିନ ପରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଗଲା | ହିତାଧିକାରୀଙ୍କ କହିବା ଅନୁଯାୟୀ ସଠିକ ଭାବେ ଖାଲରେ ପଥର ନ ଦେଇ ନିର୍ମାଣ କରାଯାଇଛି ଏବଂ ପ୍ରଶାସନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ପିଇଓ କିମ୍ବା ଜିଆରଏସ କେହି ମଧ୍ୟ ଏହି ନିର୍ମାଣ କାର୍ଯ୍ୟରେ ତଦାରଖ ନ କରିବା ଯୋଗୁଁ ନିର୍ମାଣରେ ଅନିୟମିତତା ହୋଇଛି | ଡଗୱେଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ଯୋଗୁଁ ହିତାଧିକାରୀଙ୍କ ମନରେ ଚାଷ ପାଇଁ ଚିନ୍ତା ବଢିବା ଘଟଣା ବିଷୟରେ ସ୍ଥାନୀୟ ବିଡ଼ିଓ ରଜନୀ କାନ୍ତ ଦାଶଙ୍କୁ ପଚରିବାରୁ ସେ ଘଟଣାକୁ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତି |

Comments are closed.