Related Contents

ସାର ଚୋରି ଅଭିଯୋଗରେ ୩ଜଣ ଗିରଫ, କୋର୍ଟ ଚାଲାଣ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୨୦/୦୭): ବିନିକା -ସିଲଟି ରାସ୍ତାର ଗୁଲୁଣ୍ଡା ନିକଟସ୍ଥ ବିନିକା ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ଗୋଦାମ ଗୃହରୁ ସାର ଚୋରି ହୋଇଥିବା ଘଟଣାରେ ପୋଲିସ ୩ଜଣଙ୍କକ ଗିରଫ କରିଥିବା ସୋନପୁର ଏସପି ଦେବୀପ୍ରସାଦ ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି | ଏଥିରେ ବ୍ୟବହୃତ ଗାଡି ଓ ଚୋରି ହୋଇଥିବା ୭୮ପ୍ୟାକେଟ ସାର ଜବତ କରାଯାଇଥିବା ଏସପି ଶ୍ରୀ ଦାସ ସୂଚନା ଦେଇଛନ୍ତି |

ଘଟଣାରୁ ପ୍ରକାଶ ଯେ ଉକ୍ତ ଗୋଦାମ ଗୃହରୁ ପୃଥକ ପୃଥକ ଭାବେ ଦୁଇ ଦିନ ମଧ୍ୟରେ ପ୍ରାୟ ୧୯୫ ପ୍ୟାକେଟ ସାର ଚୋରି ହୋଇଥିବା | ସେଥିମଧ୍ୟରୁ ୮୩ପ୍ୟାକେଟ ଗ୍ରମର ସାର ହୋଇଥିବା ବେଳେ ୧୧୨ ପ୍ୟାକେଟ ଡିଏପି ସାର ବୋଲି ଜଣାପଡିଛି | ଏହି ଘଟଣା ରେ ପୋଲିସ ବ୍ୟବହୃତ ଗାଡି(ଓଡି ୧୭ ଯେ ୫୪୬୪) ଜବତ କରିଥବା ବେଳେ ସଂଶ୍ଲିଷ୍ଟ ଥିବା ବରଗଡ଼ ଜିଲ୍ଲା ଭେଡେନ ଥାନା ସାନପିପିଲିପାଳି ଗ୍ରାମର ରାମଚନ୍ଦ୍ର ପଧାନ (୩୮), ଧନେଶ୍ୱର ପଧାନ(୩୨) ଓ ଡ୍ରାଇଭର ପ୍ରଫୁଲ୍ଲ ଓରଫ ଅନିଲ କଲେତକୁ ଗିରଫ କରିଛି | ଏମାନଙ୍କ ଠାରୁ ସୂଚନା ପାଇ ବରପାଲି ଥାନା କୁମ୍ଭାରୀ ଗ୍ରାମର ଡାକ୍ତର ନାଏକ ଘରର ସାମ୍ନାରୁ ୭୫ପ୍ୟାକେଟ ଓ ଧନେଶ୍ୱର ପାଖରୁ ୩ପ୍ୟାକେଟ ସାର ଜବତ କରିଛି | ଚୋରିହୋଇଥିବା ସମୁଦାୟ ସାରର ମୂଲ୍ୟ ୧,୯୫,୦୦୦ ଟଙ୍କା ହୋଇଥିବା ବେଳେ ୮୫,୦୦୦ ଟଙ୍କାର ସାର ଜବତ କରିଛି | ଏହା ବ୍ୟତୀତ ୫ଟି ମୋବାଇଲ ଜବତ କରିଛି ପୋଲିସ | ଏହି ଚୋରି ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଏକ ର୍ୟାକେଟ ଧରାପଡିଯିବେ ବୋଲି ଏସପି ଶ୍ରୀ ଦାସ ପ୍ରକାଶ କରିଛନ୍ତି | ଗିରଫ ହୋଇଥିବା ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏହି ସାମ୍ବାଦିକ ସମ୍ମିଳନୀ ରେ ଏ ଏସ ପି ରମେଶ କୁମାର ପାଣିଗ୍ରାହୀ, ଏସ ଡି ପି ଓ ମିହିର କୁମାର ପଣ୍ଡା, ଆଇ ଆଇ ସି ରାଜେନ୍ଦ୍ର ସମାରିଆ ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.