ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୬/୭) : ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ର ନିର୍ଦ୍ଦେଶ ପରେ ବିନିକା ବ୍ଳକ ସିନ୍ଦୁରପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ସର୍ଗୁଣା ମୌଜାରେ ୩ ଗୋଟି ପ୍ଲଟ ର (ଜମି) ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଭିଯୋଗ ଅନୁସାରେ ଜଣେ ରାଇସ ମିଲ ମାଲିକ ସର୍ବ ସାଧାରଣ ରାସ୍ତା, କରନାଲି, କେନାଲ ହିଡ଼ ଏବଂ ଭୂମିହିନ ଙ୍କ ପାଇଁ ସଂରକ୍ଷିତ ଜାଗା କୁ ଜୋର ଜବରଦସ୍ତି ଅବରୋଧ କରି ତେଲମିଲ ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା ।
ରାଇସ ମିଲ ମାଲିକଙ୍କ କେତେକ ଜମି ଜବରଦଖଲ କରି ବେନିୟମ ତେଲମିଲ ନିର୍ମାଣ ଘଟଣାକୁ ନେଇ ସାର୍ଗୁଣା ଏବଂ ସାଲମାଟିକ୍ରା ର କିଛି ଚାଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ । ୩ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଆଜି ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ସିନ୍ଦୁରପୁର ରାଜସ୍ୱ ନିରୀକ୍ଷକ ବିବେକା ତ୍ରିପାଠୀ, ବିନିକା ଥାନା ଅଧିକାରୀ ପବିତ୍ର ସାହୁ ପ୍ରମୁଖଙ୍କ ସମେତ ପୋଲିସ ଓ ରାଜସ୍ୱ ବିଭାଗ ଷ୍ଟାଫ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ସାର୍ଗୁଣା ମୌଜା ର ଖାତା ନଂ ୧୯୨ ର ପ୍ଲଟ ନଂ ୭୪୮, ୭୪୧, ୭୨୪ ର ସରଜମୀନ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା । ତେବେ ଆଜି ସମୟ ଅଭାବରୁ କେବଳ ଗୋଟିଏ ପ୍ଲଟ ଅର୍ଥାତ ୭୨୪ ପ୍ଲଟ ର ସରଜମିନ ଚି଼ହ୍ନଟ କରାଯାଇଛି । ଏହି ପ୍ଲଟ ର କିସମ ସର୍ବସାଧାରଣ ରାସ୍ତା ହୋଇଥୁବାରୁ ସର୍ବସାଧାରଣ ଙ୍କୁ ପ୍ରଦାନ କରାଗଲା । ଏହି ରାସ୍ତାରେ ପୂର୍ବରୁ କେତେକାଂଶରେ ଆମ୍ବଗଛ ରହିଥିବା ଜଣାପଡିଛି । ତେବେ ଆଉ ୨ଟି ପ୍ଲଟ ତହସିଲଦାର ଦିନଧାର୍ଯ୍ୟ କରିବା ପରେ ସରଜମିନ ଚି଼ହ୍ନଟ କରାଯିବ ବୋଲି ସୂଚନା ମିଳିଛି ।
ପ୍ରକାଶ ଥାଉ କି ଏହି ତେଲ କାରଖାନା ନିର୍ମାଣ ଯୋଗୁଁ ଆଖପାଖ ର ଚାଷ କାର୍ଯ୍ୟ ପ୍ରଭାବିତ ହେବାସହ ଚାଷୀ ଓ ତାଙ୍କ ପରିବାରର ଜୀବନ ଜୀବିକା ଦୁର୍ବିସହ ହେବାର ଆଶଙ୍କା ସୃଷ୍ଟି କରିଛି । ତେବେ ପ୍ରଶାସନ ଏହାକୁ ଗୁରୁତର ସହନେଇ ତୁରନ୍ତ ଉକ୍ତ ପ୍ଲଟ ଗୁଡ଼ିକର ସରଜମୀନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।