Thursday, March 28, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲାରେ ଉଷୁନା ଚାଉଳ ସଂଗ୍ରହ ନେଇ ଉଭୟ ସରକାରଙ୍କ ଟାଳଟୁଳ ନୀତି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୭) : ସୁବର୍ଣ୍ଣପୁର ଜିଲ୍ଲାରେ ଉଷୁନା ଚାଉଳ ସଂଗ୍ରହ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଲାଗିଥିବା ବିବାଦ ଆଗକୁ ଚାଷୀ ଧାନ ବିକ୍ରୟରେ ବାଧା ସୃଷ୍ଟି ହେବା ନେଇ ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଡିଛି l

ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଲାଣି l କେନ୍ଦ୍ର ସରକାରଙ୍କ ସୁବର୍ଣ୍ଣପୁର ଜିଲ୍ଲାରେ ଉଷୁନା ଚାଉଳ ସଂଗ୍ରହ ଟାର୍ଗେଟ ଶେଷ ହୋଇଛି ବୋଲି ଜିଲ୍ଲା ମିଲର୍ସ ସଂଘ ପ୍ରକାଶ କରିଛନ୍ତି l ତେବେ ଟାର୍ଗେଟ ସରି ଯାଇଥିବାରୁ ମିଲର୍ସ ଠାରୁ ସଂଗ୍ରହ ହୋଇ ନ ଥିବା ଉଷୁନା ଚାଉଳ କ’ଣ ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି l ଅନ୍ୟପକ୍ଷରେ ସରକାର ଚାଉଳ ସଂଗ୍ରହ କରୁ ନ ଥିବାରୁ ଚାଉଳ କଳରେ ଚାଉଳ ଭରପୁର ରହିଛି l ଗତ ଖରିଫ ଓ ରବି ଋତୁରେ ସଂଗ୍ରହ ହୋଇଥିବା ଅଧିକାଂଶ ଧାନ କୁ ମିଲର୍ସ ଚାଉଳ ମିଲିଂ କରି ମିଲରେ ସାଇତି ରଖିଛନ୍ତି l

ସରକାର ଚାଉଳ ସଂଗ୍ରହରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆସନ୍ତା ଖରିଫରେ ହେବାକୁ ଥିବା ଧାନ କିଣା ଓ ଚାଉଳ ସଂଗ୍ରହ ନେଇ ଅନିଶ୍ଚିତତା ଦେଖା ଦେଲାଣି ବୋଲି ଜିଲ୍ଲା ମିଲର୍ସ ସଂଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି l ଭାରତ ସରକାର ଗତ ଖରିଫ ଓ ରବିରେ ରାଜ୍ୟରୁ ୬୦ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଉଷୁନା ଚାଉଳ ସଂଗ୍ରହ ର ଟାର୍ଗେଟ ଦେଇଥିବା ଜଣାପଡିଛି l ସେହି ଟାର୍ଗେଟ ଜୁଲାଇ ମାସରେ ସରିଯିବା ଆଶା କରାଯାଉଛି l

ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଖରିଫ ୩୩ ଲକ୍ଷ ୪୩ ହଜାର ୧୪୬ କ୍ୱିଣ୍ଟାଲ ଓ ରବିରେ ୧୭ ଲକ୍ଷ ୧୭ ହଜାର ୩୬୯ କ୍ୱିଣ୍ଟାଲ ମୋଟ ୬୦ ଲକ୍ଷ ୫୦ ହଜାର ୫୧୬ କ୍ୱିଣ୍ଟାଲ ଧାନ ମିଲର୍ସ ଙ୍କୁ କଷ୍ଟମ ମିଲିଂ ପାଇଁ ଦିଆଯାଇଛି l ତେବେ ୩୪ ଲକ୍ଷ ୪୧ ହଜାର ୧୫୦ କ୍ୱିଣ୍ଟାଲ ଉଷୁନା ଚାଉଳ ମିଲର ମାନଙ୍କ ଠାରୁ ସରକାର ସଂଗ୍ରହ କରିବା କଥା l

କିନ୍ତୁ ଚଳିତ ବର୍ଷ ଜୁଲାଇ ୧୮ ପର୍ଯ୍ୟନ୍ତ ମାତ୍ର ୧୭ ଲକ୍ଷ ୯ ହଜାର ୯୪୧ କ୍ୱିଣ୍ଟାଲ ଚାଉଳ ଉଭୟ ସରକାର ମିଲର୍ସ ମାନଙ୍କ ଠାରୁ ସଂଗ୍ରହ କରିଛନ୍ତି l ଆସନ୍ତା ଖରିଫ ଚାଷ ର ଧାନ ଅମଳ ଚଳିତ ବର୍ଷ ନଭେମ୍ବର ମାସ ୧୫ ତାରିଖ ପରେ ଆରମ୍ଭ ହୋଇଯିବ l ଏବେ ମିଲର୍ସ ଙ୍କ ହାତରେ ମାତ୍ର ୩ ମାସ କିଛି ଦିନ ସମୟ ରହିଲା l

ଏହି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ଯଦି ଚାଉଳ ସଂଗ୍ରହ ନ କରନ୍ତି ତା ହେଲେ ଜିଲ୍ଲାରେ ଥିବା ୪୮ ଟି ମିଲ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇ ପାରିବାର ଆଶା କ୍ଷୀଣ ଦେଖା ଯାଉଛି l ସରକାର ମିଲର୍ସ ମାନଙ୍କ ଠାରୁ ୮ ମାସ ମଧ୍ୟରେ ଜିଲ୍ଲା ରୁ ୧୭ ଲକ୍ଷ ୯ ହଜାର ୯୪୧ କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରିଥିଲା ବେଳେ ଆଉ ୩ ମାସ ରୁ କିଛି ଅଧିକ ଦିନ ମଧ୍ୟରେ ବାକିଥିବା ୧୭ ଲକ୍ଷ ୩୧ ହଜାର ୨୦୯ କ୍ୱିଣ୍ଟାଲ ଚାଉଳ କିପରି ସଂଗ୍ରହ କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ରାଇସ ମିଲର୍ସ ସଂଘ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ଯେ, ଚଳିତ ବର୍ଷ ନଭେମ୍ବର ୧୫ ତାରିଖ ମଧ୍ୟରେ ସରକାର ନିର୍ଦ୍ଧାରିତ ଚାଉଳ ସଂଗ୍ରହ ନ କଲେ ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ମିଲର୍ସ ମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି l ସେହିପରି ମିଲର୍ସ ପାଖରେ ଖରିଫ ଓ ରବି ର ଧାନ ଓ ଚାଉଳ ଗୋଦାମରେ ଭର୍ତ୍ତି ହୋଇ ବହୁ ଦିନ ରହିବା ଫଳରେ ଚାଉଳ ମାନ ନଷ୍ଟ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି l ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି l

Popular Articles