Friday, March 29, 2024

Top 5 This Week

Related Posts

ହିନ୍ଦୁ ଓ ଶିଖ ଲୋକଙ୍କୁ ଦେଶକୁ ଫେରିବା ପାଇଁ ଅନୁରୋଧ କଲା ତାଲିବାନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କାବୁଲ/ନୂଆଦିଲ୍ଲୀ, (୨୬/୦୭) : ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିଜର ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି । ଦେଶ ଛାଡ଼ିଥିବା ଆଫଗାନୀ ହିନ୍ଦୁ ଓ ଶିଖ ଲୋକଙ୍କୁ ପୁଣିଥରେ ଦେଶକୁ ଫେରି ଆସିବାକୁ ଅନୁରୋଧ କରିଛି ତାଲିବାନ ।

ସୁରକ୍ଷା ଭୟରେ ହିନ୍ଦୁ ଓ ଶିଖ ସଂପ୍ରଦାୟ ର ଲୋକମାନେ ଆଫଗାନ ଛାଡ଼ିଥିଲେ । ହେଲେ ଏବେ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରି ଦିଆଯାଇଛି । ଦେଶ ର ସୁରକ୍ଷା ବ୍ୟବସ୍ଥା ବଦଳିଛି । ତେଣୁ ସେମାନେ ନିଜ ଦେଶକୁ ଫେରି ଆସନ୍ତୁ ବୋଲି ତାଲିବାନ କହିଛି ।

ଜୁଲାଇ ୨୪ ରେ ତାଲିବାନ ର ବରିଷ୍ଠ ଅଧିକାରୀ ଡା. ମୁଲ୍ଲା ଅବଦୁଲ ୱାସିମ ଆଫଗାନିସ୍ତାନ ହିନ୍ଦୁ ଓ ଶିଖ ପରିଷଦ ର ଏକାଧିକ ସଦସ୍ୟଙ୍କୁ ଭେଟିଥିଲେ । ଏହି ସମୟରେ ସେ ଆଫଗାନିସ୍ତାନ ର ସୁରକ୍ଷା ବ୍ୟବସ୍ଥା ସୁଧୁରି ସାରିଥିବା ସେମାନଙ୍କୁ ଜଣାଇଥିଲେ । ଏହାପରେ ହିଁ ତାଲିବାନ ସରକାର ବିଧିବଦ୍ଧ ଭାବେ ଦେଶ ର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ଲୋକମାନଙ୍କୁ ଫେରିବା ପାଇଁ କହିଛନ୍ତି ।

ୱାସିମଙ୍କ ସହ ବୈଠକ ବେଳେ ଶିଖ ନେତାମାନେ ତାଲିବାନକୁ ସୁରକ୍ଷା ବ୍ୟବସ୍ଥା ସୁଧାରିଥିବାରୁ ଧନ୍ୟବାଦ ଦେଇଥିଲେ । ବିଶେଷ କରି କାବୁଲ ର ଗୁରଦ୍ୱାର ଉପରେ ଇସଲାମିକ ଷ୍ଟେଟ ଅଫ ଖୋରସନ (ଆଇଏସକେପି) କରିଥିବା ହମଲା ର ମୁକାବିଲା କରିବାକୁ ତାଲିବାନ ସକ୍ଷମ ହୋଇଥିବାରୁ ଶିଖ ନେତାମାନେ ୱାସିମ ଓ ସରକାରରେ ଥିବା ଅନ୍ୟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜୁନ ୧୮ ରେ ଆଇଏସ୍‌କେପି କାବୁଲରେ ଥିବା କରଟେ ପରୱାନ ଗୁରଦ୍ୱାର ଉପରେ ବଡ଼ଧରଣର ହମଲା କରିଥିଲା । ଏହି ଭୟଙ୍କର ହମଲାରେ ଜଣେ ଶିଖଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଥିଲା । ଘଟଣା ଦିନ ସକାଳେ ୨୫ ରୁ ୩୦ ଜଣ ଲୋକ ପ୍ରାର୍ଥନା ପାଇଁ ଗୁରଦ୍ୱାର ଭିତରେ ଥିବା ବେଳେ ହମଲା ହୋଇଥିଲା । ହମଲା ବେଳେ ୧୦ ରୁ ୧୫ ଜଣ ଲୋକ ଖସି ଯିବାକୁ ସକ୍ଷମ ହୋଇଥିଲେ ।

କିନ୍ତୁ ଆକ୍ରମଣକାରୀଙ୍କ ଗୁଳି ଓ ବୋମା ମାଡ଼ରୁ ଗୁରଦ୍ୱାର ର ସୁରକ୍ଷାକର୍ମୀ ଅହମଦ ବର୍ତ୍ତି ନଥିଲେ । ସେହିପରି ଆଉ ଜଣେ ଶିଖ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଖବର ପାଇ ତାଲିବାନ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ସେଠାରେ ଘଉଡ଼ାଇବାକୁ ସକ୍ଷମ ହୋଇଥିଲେ । ତାଲିବାନ ସରକାର ଶିଖମାନଙ୍କ ସୁରକ୍ଷାର ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ଗୁରଦ୍ୱାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ । ଏବେ ତାଲିବାନ ସୁରକ୍ଷା ବ୍ୟବସ୍ଥା ସୁଧୁରି ଯାଇଥିବାରୁ ସମସ୍ତଙ୍କୁ ସ୍ୱଦେଶ ଫେରିବାକୁ କହିଛି ।

Popular Articles