Related Contents

କୂଳ ଖାଉଛି ଇନ୍ଦ୍ରାବତୀ, ଆତଙ୍କିତ ଗ୍ରାମବାସୀ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୧୬/୦୭): କୁଳ ଖାଉଛି ଇନ୍ଦ୍ରାବତୀ ନଦୀ । ନବରଙ୍ଗପୁର ଡାଇଭଟା ନିକଟ ନୂଆ ବ୍ରିଜ ନଦୀର ଉତ୍ତର ପାର୍ଶ୍ୱରେ ମାଟି ଅତଡା ଖସିବାରେ ଲାଗିଛି । ଯାହାଫଳରେ ନଦୀର ପାଣି ଗତି ବଦଳାଇବାରେ ଲାଗିଛି । ଚାଷୀମାନଙ୍କୁ ପାଣି ଯୋଗାଇବା ପାଇଁ ସରକାର ୧୦ ବର୍ଷ ପୂର୍ବେ ନଦୀ ମଧ୍ୟରେ ଆଡି ବନ୍ଧ ନିର୍ମାଣ କରି ପାଣି ଯୋଗାଇବା ପାଇଁ ଯେଉଁ ଯୋଜନା କରିଥିଲେ ତାହା ବର୍ତ୍ତମାନ ଲୋକମାନଙ୍କ ପାଇଁ କାଳ ହେବାକୁ ବସିଲାଣି ।

ପ୍ରତିବର୍ଷ ମୌସମୀ ବର୍ଷା ଦ୍ୱାରା ନଦୀ ମଧ୍ୟରେ ସିମେଣ୍ଟ ଓ ପଥରରେ ନିର୍ମିତ ଗାର୍ଡୱାଲ ସଂପୂର୍ଣ୍ଣ ନଷ୍ଟ ହୋଇ ପାଣିର ଗତି ବଦଳିବା ଦ୍ୱାରା ନଦୀ ପାର୍ଶ୍ୱରେ ବସବାସ କରୁଥିବା ଗ୍ରାମବାସୀ ଆତଙ୍କରେ ଜୀବନ ବିତାଉଛନ୍ତି । ଦୀର୍ଘ ବର୍ଷ ଧରି ବର୍ଷା ଋତୁରେ ଇନ୍ଦ୍ରାବତୀ ନଦୀ କୂଳ ଲଙ୍ଗିବାରେ ଲାଗିଛି । ଯଦ୍ୱାରା ନବରଙ୍ଗପୁର ବ୍ଲକର ସାନ ଡାଇଭଟା ଓ ବଡ଼ ଡାଇଭଟା ସହ ସିନ୍ଧିଗୁଡା ଗ୍ରାମ ଗୁଡିକ ନଦୀ ଗର୍ଭରେ ଲୀନ ହେବା ନେଇ ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ନଦୀ ୧୦୦ ମିଟରରୁ ଉର୍ଦ୍ଧ୍ବ କୂଳ ଖାଇ ସାରିଲାଣି । ବର୍ଷା ମାସରେ ଲଗାଣ ବର୍ଷା ଯୋଗୁଁ ନଦୀ ଫୁଲିଲେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟରେ ଆଖିରୁ ନିଦ ହଜିଯାଉଛି । ନଦୀ ମଧ୍ୟରେ ଯେଉଁ ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା ତାହା ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି |

ଯାହା ଚାଷୀ ମାନଙ୍କ କାମରେ ଲାଗୁ ନାହିଁ । ତେଣୁ ନଷ୍ଟ ହୋଇଯାଇଥିବା କଂକ୍ରିଟ ଗାର୍ଡ ୱାଲ ଓ ବଡ଼ ବଡ଼ ପଥର ନଦୀ ମଧ୍ୟରୁ ବାହାର କରିଦେବା ସହ ନଦୀ କୂଳରେ ପଥର ପ୍ୟାକିଙ୍ଗ କରାଯିବାକୁ ଡାଇଭଟା ଗ୍ରାମର ମାଧବ ନାୟକ, ପୁର ଭତ୍ରା, ମାଧବ ପୂଜାରୀ, କୈଳାସ ନାୟକ, ସ୍ୱାମୀ ରାଓ, ବଳି ନାୟକ, ଶ୍ରୀଧର ନାୟକ ପ୍ରମୁଖ ଦାବି କରିଛନ୍ତି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବହୁ ଧନଜୀବନ ହାନି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.