ଶଗଡ଼ିଆ ନାଳ ଉପରେ ଉଚ୍ଚ ଲେବୁଲ ସେତୁ ନିର୍ମାଣ କରିବା ପାଇଁ ଦାବୀ

0
112
ଶଗଡ଼ିଆ ନାଳ

ରିପୋର୍ଟ : ସୁଶାନ୍ତ କୁମାର ବେହେରା
ହରଭଙ୍ଗା, (୨୨/୦୭) : ହରଭଙ୍ଗା-ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା । ଏହି ସେତୁ ନିର୍ମାଣ ହେବାର ୪୦ ବର୍ଷ ବିତିଗଲାଣି ।

ଶଗଡ଼ିଆ ନାଳ ଉପରେ ଏହି ସେତୁଟି ଲୋ-ଲେବୁଲ ସେତୁ ହୋଇଥିବାରୁ ଲଗାଣ ବର୍ଷା ଓ ବନ୍ୟା ସମୟରେ ଏହି ସେତୁ ଉପରେ ୫ ଫୁଟରୁ ଉର୍ଦ୍ଧ୍ୱ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଏହି ଅଞ୍ଚଳଟି ଜଳବନ୍ଦୀ ହୋଇପଡୁଛି ଏବଂ ଯୋଗାଯୋଗ ବିଛିନ୍ନ ହେବାସହ ହରଭଙ୍ଗା କଲେଜରୁ ଯାଇପାରୁ ନାହାଁନ୍ତି । ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ରୋଗୀଟି ମଧ୍ୟ ଚିକିତ୍ସା ପାଇଁ ଆସିପାରୁ ନାହାଁନ୍ତି ।

ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେବାସହ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କାରଣ ହରଭଙ୍ଗା ଠାରେ ଡାକ୍ତରଖାନା, ଥାନା, କଲେଜ, ବ୍ୟାଙ୍କ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଅଛି, ଜନସାଧାରଣ ଏହି ସେତୁ ବାଟ ଦେଇ ହରଭଙ୍ଗା ବଜାରକୁ ଆସନ୍ତି । ବର୍ଷା ଜଳ ଏହି ସେତୁ ଉପରେ ୫ ଫୁଟ ଉଚ୍ଚତାରେ ପ୍ରବଳ ବେଗରେ ଜଳ ପ୍ରବାହିତ ଯୋଗୁଁ ଦୀର୍ଘ ସମୟ ଧରୀ ଯୋଗାଯୋଗ ବିଛିନ୍ନ ହୋଇପଡୁଛି । ଏଣୁ ଦୀର୍ଘ ଦିନରୁ ଏଠାରେ ଉଚ୍ଚ ଲେବୁଲ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବୌଦ୍ଧ ବିଧାୟକ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଅଞ୍ଚଳବାସୀ ଦାବୀ କରିଆସୁଥିଲେ ।

ବର୍ତ୍ତମାନ ଏହି ‘ଶଗଡ଼ିଆ ନାଳ’ ଉପରେ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ବୌଦ୍ଧ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତ ବିଭାଗକୁ ଅଟକଳ କରାଯାଇ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ପୂର୍ତ୍ତ ବିଭାଗ ଏହା ଅନୁମୋଦନ କରି ଆସନ୍ତା ଅକ୍ଟୋବର ମାସରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୌଦ୍ଧ ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ ପ୍ରକାଶ କରିଛନ୍ତି ।