Related Contents

ପ୍ରଶାସନର ଦୃଷ୍ଟି ଅଡୁଆଳରେ ବାଗବେଡା

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୧୧/୦୭): ନବରଙ୍ଗପୁର ଜିଲ୍ଲା ଝରୀଗାଁ ଗ୍ରାମ ପଞ୍ଚାୟତର ଏକ ଅଭିଶପ୍ତ ଗାଁ ବାଗବେଡା | ଏଠି ୫୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ବିକାଶର ପ୍ରଥମ ପାହାଚ ଗମନା ଗମନ ଲାଗି ଭଲ ରାସ୍ତାଟିଏ ନାହିଁ | ଯାହା ବର୍ଷା ଆରମ୍ଭ ହୋଇଗଲେ ନାହିଁ ନ ଥିବା ସମସ୍ୟା ଭୋଗିବାକୁ ପଡିଥାଏ ଗ୍ରାମବାସୀଙ୍କୁ |

ରାସ୍ତା କାଦ ଖସଡ଼ା ହୋଇପଡୁଥିବା ବେଳେ ଟିକେ ବର୍ଷି ଦେଲେ ଲୋକେ ଘେରା ବନ୍ଦୀ ହୋଇ ରହିଯାନ୍ତି ଏହି ଗାଁରେ | ଗାଁରେ ବର୍ତମାନ ଚାରି ଚାରି ଜଣ ଗର୍ଭବତୀ ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିଲେ ସେମାନଙ୍କ ପାଇଁ ଖଟିଆ ହିଁ ଏକମାତ୍ର ଭରସା ହୋଇପଡିଛି | ବ୍ଲକ ସାରା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଥିବା ବେଳେ ଏହି ଗାଁକୁ ପୂର୍ବରୁ ଇନ୍ଦିରାବାସ କି ବର୍ତମାନର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବାରେ ସରକାର ଏମାନଙ୍କୁ ଭୁଲିଯାଇଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ | ଝାଟି ମାଟିର ଘରେ ବସବାସ କରୁଥିବା ଏହି ଗ୍ରାମବାସୀ ନିଜ ଭାଗ୍ୟକୁ ଆଦରି ଶେଷରେ ବର୍ଷା ପୂର୍ବରୁ ନିଜ ନିଜ ଘରକୁ ପଲିଥିନ ବାନ୍ଧି ସଜାଡିବାର ଦେଖିବାକୁ ମିଳିଥିଲା | ଝରୀଗାଁ ବ୍ଲକ ହେଡ଼କ୍ୱାଟର ଠାରୁ ମାତ୍ର ୩ କିଲୋମିଟର ଦୂର ଏହି ଗାଁ ହେଲେ ବିକାଶ ଠାରୁ ୩ ଯୋଜନ ଦୂର |

ଗ୍ରାମବାସୀ କୁହନ୍ତି ଗାଁର ସବୁ ସମସ୍ୟାକୁ ପଂଚାୟତ ଠାରୁ ବ୍ଲକ ସବୁଠି ଯାଇ ଗୁହାରି ଜଣେଇ ଥିଲେ ମଧ୍ୟ ସମସ୍ତଙ୍କ ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଯାଇଛି | କାହାକୁ ଘରଟିଏ କି, ପଟ୍ଟା ଟିଏ, ଯୋଗେଇବାରେ ବିଫଳ ହୋଇଛି ସରକାର | ଏହି ଗାଁର ସମସ୍ୟା ସମ୍ପର୍କରେ ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆ ଗ୍ରାମର ସବୁ ସମସ୍ୟା ବିଷୟରେ ଜାଣିଥିବା ଏବଂ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜଣେଇଥିଲେ | ତେବେ କେଉଁ ଦିନ ଏହି ଗାଁକୁ ଭଲରାସ୍ତା ଟିଏ ହେବ ଏବଂ ଏହି ଗ୍ରାମବାସୀଙ୍କ ମୁହଁରେ ହସଫୁଟିବ ତାହା ଦେଖିବାକୁ ବାକି ରହିଲା |

Leave a Reply

This site uses Akismet to reduce spam. Learn how your comment data is processed.