ହାତୀପଲ ଙ୍କ ତାଣ୍ଡବଲୀଳା : ବାସହରା ହେଲେ ଘାସି ଶବରଙ୍କ ପରିବାର

0
205
ହାତୀପଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୭) : ପୁଣି ଅଶାନ୍ତ ହୋଇଉଠିଛନ୍ତି ଗଜରାଜ । କିଛି ଦିନ ର ବ୍ୟବଧାନ ପରେ ପୁଣି ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତ ର ଲୁଙ୍ଗୁରତାଲ ଗ୍ରାମ ନିକଟସ୍ଥ କାନ୍ତୁରୁକୁଡିଆରେ ତାଣ୍ଡବ ରଚିଛନ୍ତି ଛଅ ଟିକିଆ ହାତୀପଲ ।

ପୁଅ, ଝିଅ ଓ ସ୍ତ୍ରୀ ସହ କାନ୍ତୁରୁକୁଡିଆ ଠାରେ ବାସ କରନ୍ତି ଘାସି ଶବର । ଜଙ୍ଗଲ ଜାତ ଦ୍ରବ୍ୟ ଓ ପାହାଡ ତଳ ଅଞ୍ଚଳରେ ଚାଷବାସ କରି ଦୁଃଖେ କଷ୍ଟରେ ନିଜ ପରିବାର ଚଳାଇ ଆସୁଥିଲେ । ବର୍ଷା ଯୋଗୁଁ ପାହାଡ଼ ପାଣିରେ ବିଲ ବାଡ଼ି ବାଲିମାଟିରେ ପୋତି ହୋଇଯିବା ପରେ ଏବେ ଦାଉ ସାଧିଛନ୍ତି ହାତୀପଲ । ରାତି ପ୍ରାୟ ୧୨ ଟା ସମୟରେ ଛଅ ଟିକିଆ ହାତୀପଲ ଆସି କାନ୍ତୁରୁକୁଡିଆରେ ଥିବା ଘାସି ଶବରଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ।

ଘରେ ଥିବା ଧାନ, ଚାଉଳ, ତେଲ, ଟିଭି, ବାସନକୁସନ, ଲୁଗାପଟା ସବୁ ଦଳିଚକଟି ନଷ୍ଟ କରିଦେଇଛନ୍ତି । ପୂର୍ବରୁ ନିକଟରେ ହାତୀପଲ ରହିଥିବା ଖବର ପାଇ ଘାସି ଶବର ନିଜ ପରିବାର ସହ ନିକଟସ୍ଥ ଗ୍ରାମକୁ ଚାଲିଯାଇଥିଲେ । ଫଳରେ ଆସନ୍ନ ମୃତ୍ୟୁ ମୁଖରୁ ଚାରି ପ୍ରାଣୀ କୁଟୁମ୍ବ ବର୍ତ୍ତି ଯାଇଛନ୍ତି । ବର୍ତ୍ତମାନ ଭୋକ ଉପାସରେ ବାସହରା ହୋଇପଡିଛନ୍ତି ଘାସି ଶବରଙ୍କ ପରିବାର ।

ଦୀର୍ଘ ନଅ ମାସ ହେଲା ଏହି ଅଞ୍ଚଳରେ ହାତୀପଲ ଆତଙ୍କ ଚଳାଇ ଆସୁଥିଲେ ମଧ୍ୟ ପ୍ରଶାସନ ହାତୀପଲକୁ ଘଉଡେଇବାରେ ବିଫଳ ହୋଇଛି ବୋଲି ଜନସାଧାରଣ ମତ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସରକାରୀ ସହାୟତା ଅପେକ୍ଷାରେ ଘାସି ଶବରଙ୍କ ପରିବାର । ପ୍ରଶାସନ କେବେ ଘାସି ଶବର ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଉଛି ଦେଖିବାକୁ ବାକି ରହିଲା ।