ମାଓବାଦୀ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଡ଼ିଆଇଜି

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା (୧୦/୦୭): ମାଓବାଦୀ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଡ଼ିଆଇଜି ରବୀନ୍ଦ୍ର ଏମଏଲ ଏବଂ ଏସଡି ପାଣ୍ଡେ | ସେମାନେ ସିଆରପିଏଫ ଚତୁର୍ଥ ବାଟାଲିଅନ କ୍ୟାମ୍ପ ପରିଦର୍ଶନ କରିବା ସହ ମାଓବାଦୀଙ୍କ ଗତିବିଧି ଉପରେ ଆଲୋଚନା କରିଥିଲେ |

ମୁଖ୍ୟତଃ ସିଆରପିଏଫ ଚତୁର୍ଥ ବାଟାଲିୟନ ଜିଲ୍ଲାର ଯେଉଁସବୁ ସ୍ଥାନରେ ମୁତୟନ ଅଛନ୍ତି, ସେସବୁ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ କମିଛି ନା ନାହିଁ, ତାହା ଅନୁଧ୍ୟାନ କରିଥିଲେ | ଏଥିସହ ଯବାନ ମାନେ କମ୍ବିଂ ଅପେରସନରେ ଯିବାବେଳେ କିଭଳି ନିୟମ ପାଳନ କରୁଛନ୍ତି ତାହା ମଧ୍ୟ୍ୟ ସମୀକ୍ଷାରେ ସ୍ଥାନ ପାଇଥିଲା | ଯବାନଙ୍କ ସହାୟତା ପାଇଁ ଯେଉଁ ସନ୍ଧାନୀ କୁକୁର ଦୁଇଟି ମୁତୟନ କରାଯାଇଛି ସେମାନଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରି ଡ଼ିଆଇଜି ରବୀନ୍ଦ୍ର ଗୋଟିଏ ଦିନ ତାଲିମ ଦେଇଥିଲେ | କୋବ୍ରା ବାଟାଲିୟନରେ ଥିବା ସନ୍ଧାନୀ କୁକୁରକୁ ଯେଉଁ ତାଲିମ ଦିଆଯାଉଛି ସେହି ତାଲିମ ଏଠିକାର କୁକୁରକୁ ଦିଆଯାଉଛି | ଦୁଇଦିନ ତଳେ ଜଣେ ମିଲିସିଆ ସିକୁନୁ ସିକ୍କାଙ୍କୁ ନିୟମଗିରି ପାହାଡ଼ର ମାୟାବଲି ପାହାଡ଼ରୁ ଗିରଫ କରାଯାଇଥିଲା |

ଏହା ପୂର୍ବରୁ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଗୋଟିଏ ସନ୍ଧାନୀ କୁକୁରର ମୃତ୍ୟୁ ହୋଇଥିଲା | ଏହିସବୁ କିଭଳି ଏଡାଇ ହେବ ଏବଂ ମାଓବାଦୀ ଦମନ କ୍ଷେତ୍ରରେ କିଭଳି ସଫଳତା ମିଳିବ ସେଥିପାଇଁ ଅଧିକ ଗୁରୁତ୍ଵ ଦେଇଥିଲେ | ଚତୁର୍ଥ ବାଟାଲିୟନର ମୁଖ୍ୟାଳୟ ରାୟଗଡାରେ ଥିବାବେଳେ ଯବାନ ମାନେ ରାୟଗଡା, ସେଶଖାଲ, କଲ୍ୟାଣ ସିଂହପୁର, ଜେକେପୁର ମୁକୁନ୍ଦପୁରଠାରେ ମୁତୟନ ହୋଇଥିବା ସମସ୍ତ ଯବାନଙ୍କ ସହିତ ଆଲୋଚନା କରି ଉଭୟ ଡ଼ିଆଇଜି ଯବାନଙ୍କ ମନୋବଳ ବଢାଇଥିଲେ | ଆଗାମୀ ଦିନରେ ମାଓବାଦୀ ଦମନ କାର୍ଯ୍ୟକୁ କିଭଳି ଜୋରଦାର କରାଯିବ, ସେହି ଉପରେ ରଣନୀତି ପ୍ରସ୍ତୁତ କରିଥିଲେ |

Comments are closed.