ନୀରଜ ଚୋପ୍ରାଙ୍କ ଉପରେ ଧନ ବର୍ଷା : ଆନନ୍ଦ ମହିନ୍ଦ୍ରା ଦେବେ ମହିନ୍ଦ୍ରା XUV700 କାର୍‌ ଉପହାର

0
184

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୮/୦୮) : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଦେଶ ପାଇଁ ଆଣିଛନ୍ତି ପ୍ରଥମ ସ୍ୱର୍ଣ୍ଣ ପଦକ । ନୀରଜ ଏହି ସଫଳତା ପରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା । ଏଥିସହ ନୀରଜ ଚୋପ୍ରାଙ୍କ ଉପରେ ହୋଇଛି ଧନ ବର୍ଷା ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ପଂଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସ କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ସେ ଘୋଷଣା କରିଛନ୍ତି । ନୀରଜ ଚୋପ୍ରାଙ୍କୁ ହରିୟାଣାରେ କ୍ଲାସ୍ ଓ୍ୱାନ୍ ସରକାରୀ ଚାକିରୀ ସହ ଶସ୍ତାରେ ଫ୍ଲାଟ ଯୋଗାଇ ଦେବାକୁ ଘୋଷଣା ହୋଇଛି,ଯାହା ନୀରଜ ଚୋପ୍ରାଙ୍କ ଉପରେ ଧନ ବର୍ଷା ସଦୃଶ ।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ମଣିପୁର ସରକାର ମଧ୍ୟ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । କ୍ରିକେଟ୍ ମହାକୁମ୍ଭ ଆଇପିଏଲର ଟିମ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ବିସିସିଆଇ ନୀରଜଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛି । ନୀରଜଙ୍କ ନାଁରେ ୮ ହଜାର ୭୫୮ ନମ୍ବର ଥିବା ସ୍ୱତନ୍ତ୍ର ଜର୍ସି ସମ୍ମାନ ସୂଚକ ଭାବେ ଜାରି କରିବ ଚେନ୍ନାଇ ସୁପର କିଙ୍ଗସ ।

ଗୁରୁଗ୍ରାମର ରିୟଲ ଇଷ୍ଟେଟ୍ କମ୍ପାନୀ ଏଲାନ ଗ୍ରୁପ୍ ଅଧ୍ୟକ୍ଷ ରାକେଶ କପୁର ନୀରଜ ଚୋପ୍ରାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ସେହିପରି ଇଣ୍ଡିଗୋ ଏୟାରଲାଇନ୍ସ ନୀରଜ ଚୋପ୍ରାଙ୍କୁ ବର୍ଷକ ଲାଗି ବିମାନରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦେବାକୁ କହିଛି । ଅନ୍ୟପଟେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ ମହିନ୍ଦ୍ରା XUV700 କାର୍‌ ଉପହାର ସ୍ୱରୂପ ଦେବାକୁ ଘୋଷଣା କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ନୀରଜ ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟ୍‌ରେ ପ୍ରଥମ ଭାରତୀୟ ହୋଇଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରେ୍ାରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।

ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋ ରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ପୂରା ଆଗରେ ରହିଥିଲେ । ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ।