Friday, March 29, 2024

Top 5 This Week

Related Posts

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌ : ପରୀକ୍ଷା ବାତିଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୫/୦୭) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୨ ଦିନ ହେଲାଣି ଘଟୁଛି ସମାନ ଘଟଣା । ଏହି ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ର ଆଜି ବି ପୁନରାବୃତ୍ତି ହୋଇଛି ।

ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆର୍ଟସ ଷ୍ଟ୍ରିମ୍‌ ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନ ର ଫିଜିକ୍ସ ପେପର ମୋବାଇଲରୁ ମୋବାଇଲ ଘୂରି ବୁଲିଛି । ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଏଥିସହ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପ୍ରଶ୍ନପତ୍ର ଲିକ୍ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ଆଜି ପୂର୍ବାହ୍ନ ୧୦ ଟା ବେଳେ ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପେପର-୨ ପରୀକ୍ଷା ହେବାର ଥିଲା । ମାତ୍ର ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଥିଲା । ହେଲେ ତାହା ହିଁ ଅରିଜିନାଲ ପ୍ରଶ୍ନପତ୍ର ବୋଲି ଜଣା ନ ଥିଲା । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଦିନ ୧୦ ଟାରେ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ସେଟ୍‌କୁ ଖୋଲା ଯାଇଥିଲା । ତାହାକୁ ଭାଇରାଲ ପ୍ରଶ୍ନପତ୍ର ସହ ମେଳ କରାଯିବାରୁ ତାହା ପୂରାପୂରି ସମାନ ବୋଲି ଜଣା ଯାଇଛି । ତେଣୁ ତୁରନ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି ।

ଏହି ପରୀକ୍ଷା ପୁଣି କେବେ ହେବ ତାହା ସ୍ଥିର ହୋଇପାରି ନାହିଁ । ଏ ନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଲିକ୍‌ ହୋଇଥିବା ଫିଜିକ୍ସ ପ୍ରଶ୍ନପତ୍ର ଛାପାଖାନାକୁ ଯିବା ପୂର୍ବର ବୋଲି ଜଣା ଯାଇଛି । ତେଣୁ ଏଥିରେ ପ୍ରଶ୍ନପତ୍ର ସେଟ୍‌ କରୁଥିବା ତଥା ଛାପାଖାନାକୁ ନେଉଥିବା କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

ଗତକାଲି ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଏହି ଘଟଣା ର ତଦନ୍ତ କରାଯାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିବୃତ୍ତ କରାଯାଇଛି । ତାଙ୍କ ବିରୋଧରେ ଦୃଢ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଗତକାଲି ଅଧିକାରୀ କହିଥିଲେ । ମାତ୍ର ଆଜି ର ଘଟଣା ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଛାତ୍ରଛାତ୍ରୀ ଦୀର୍ଘ ଦିନ ପରିଶ୍ରମ କରି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏହା ପୂର୍ବରୁ ଲିକ୍‌ ହୋଇଯାଉଛି ପ୍ରଶ୍ନପତ୍ର । ଫଳରେ ସେମାନଙ୍କ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତୁରନ୍ତ ଏହି ଘଟଣା ର ତଦନ୍ତ କରାଯାଇ ଏପରି କାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ।

Popular Articles