ରାୟଗଡ଼ାରେ ମହାସମାରୋହରେ ଘୋଷଯାତ୍ରା ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୫/୦୭): ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ାରେ ମହାସମାରୋହରେ ପାଳିତ ହୋଇଛି ଘୋଷ ଯାତ୍ରା । ଦେବସ୍ନାନ ପୂର୍ଣ୍ଣିମାଠୁଁ ଅଧିକ ଗାଧୋଇବା ପରେ ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର ହୋଇ ଯାଇଥିଲା । ୧୫ଦିନ ଅଣସର ଘରେ ରହି ଚିକିତ୍ସିତ ହେବା ପରେ ପ୍ରଭୁ ଜଗନ୍ନାଥ ନବ ଯୌବନ ରୂପ ଦର୍ଶନ ପରେ ଆରମ୍ଭ ହୋଇଥିଲା ଶ୍ରୀ ଗୁଣ୍ଡିଚା ରଥଯାତ୍ରା ।

ବଳଭଦ୍ର ଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ପ୍ରଭୁ ଜଗନ୍ନାଥ ଭକ୍ତଙ୍କ ଗହଣରେ ଦର୍ଶନ ଦେଇଥିଲେ ଏହି ଗୁଣ୍ଡିଚା ଯାତ୍ରାରେ । ମାଉସୀଙ୍କ ହାତରୁ ପୋଡ଼ପିଠା ଖାଇବେ ଓ ନିଜ ଜନ୍ମ ବେଦୀ ଗୁଣ୍ଡିଚା ମନ୍ଦିରରେ ଯାତ୍ରା କରିଛନ୍ତି ପ୍ରଭୁ ଜଗନ୍ନାଥ । ରଥଯାତ୍ରା ଦିନ ସକାଳ ଭୋର ୫ଟାରେ ଦ୍ୱାର ଖୋଲା ହୋଇ ସାଢେ ୫ଟାରେ ମଙ୍ଗଳ ଆଳତି, ତୋଡପଲାଗି, ମଇଲମ ଓ ଗୋପାଳ ବଲ୍ଲଭ ନୀତି ସମ୍ପର୍ଣ୍ଣ ହୋଇଥିଲା । ସକାଳ ୭ରେ ଖେଚୁଡ଼ି ଭୋଗ କରାଯିବା ପରେ ସାଢେ ୭ଟାରେ ଠାକୁରଙ୍କ ବେଶନୀତି ଆରମ୍ଭ ହୋଇଥିଲା । ସକାଳ ୧୦ରେ ମଣ୍ଡପ ଆଳତି,ମୁଖ୍ୟ ଦ୍ୱାର ଅରୁଣ ସ୍ତମ୍ଭ ପାଖରେ ଭୋଗ ଆଳତି ନୀତି ଶେଷ ହୋଇଥିଲା । ତାପରେ ସକାଳ ୧୦ଟାରେ ଧାଡି ପହଣ୍ଡିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ବଚନୀକା ଗାଇ ରଥାରୁଢ କରାଯାଇଥିଲା । ଅପରାହ୍ନ ୩.୪୪ରେ ଆରମ୍ଭ ହୋଇଥିଲା ଛେରାପହଁରା ପରେ ସନ୍ଧ୍ୟା ୪ଟାରେ ରଥଟଣା ଆରମ୍ଭ ହୋଇଥିଲା ।

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଆରକ୍ଷୀ ଅଧିକ୍ଷକ ଡା. ଶର୍ବନା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି. ଆର. ରାଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ରଥଯାତ୍ରାରେ ସାମିଲ ହୋଇଥିଲେ । ମନ୍ଦିର ପରିଚାଳନା କମିଟିର ନିରଂଜନ ବକ୍ସିପାତ୍ର, ବାପି ତ୍ରିପାଠୀ, ଝୁନା ପଣ୍ଡା,ସତ୍ୟ ନାରାୟଣ ପାଢ଼ୀ ଓ ଅଜୟ ରଥ ସମେତ ସମସ୍ତ କର୍ମଚାରୀ କାର୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଡ଼ିଏସପି ତପନ ନାରାୟଣ ରଥ, ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ସହ ବ୍ୟାପକ ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ହୋଇଥିଲେ ।

Comments are closed.