ରାଗିଂ ଉପରେ ରୋକ ଲଗାଇବା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ବୈଠକ ଅନୁଷ୍ଠିତ

0
121
ରାଗିଂ ଉପରେ ରୋକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୭) : ବୌଦ୍ଧ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ରାଗିଂ ଉପରେ ରୋକ ଲଗାଇବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିବା ସହ ସମସ୍ତ ମହାବିଦ୍ୟାଳୟରେ କମିଟି ଗଠନ କରି ରାଗିଂ ଉପରେ ରୋକ ଲଗାଇବା ନେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟା ର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡିକରେ ଯେପରି ରାଗିଂ ଭଳି ଘଟଣା ନହୁଏ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା, ଛାତ୍ରାବାସ ଦାୟିତ୍ୱରେ ଥିବା ଅଧ୍ୟକ୍ଷ, ୱାଡେନ ଛାତ୍ରାବାସ ନିକଟରେ ରହିବା ଓ ପ୍ରତିଦିନ ନିଶ୍ଚିତ ଭାବରେ ଦୁଇ ଥର ଛାତ୍ରାବାସ ପରିଦର୍ଶନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏଥିସହିତ ଶାରୀରିକ ଓ ମାନସିକ ସ୍ତରରେ ରାଗିଂ ର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ କାଉନସିଲିଂ ମାଧ୍ୟମରେ ସଚେତନ କରାଇବା, ରାଗିଂରେ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଦଣ୍ଡ ବିଧାନ ସଂପର୍କରେ ସଚେତନ କରାଇବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହିତ ଅସୁବିଧା ଉପୁଜିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେବା ସହ ମହାବିଦ୍ୟାଳୟ ଗୁଡିକରେ ଏକ ହେଲପଲାଇନ ନମ୍ବର ରଖାଗଲେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗ୍ୟାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀପ୍ରସାଦ ଦାଶ ଓ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପ୍ରମୁଖ ଯୋଗଦେବା ସହ ଜିଲ୍ଲା ର ସମସ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।