ପ୍ରଶ୍ନ ବାଣରେ ବିଜେଡିକୁ ଘାଇଲା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ
ଭୁବନେଶ୍ୱର(୨୬/୦୫): ବିଧାନସଭାରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଆଜି ଗୃହରେ ଜୋର ଧରିଛି ହୋହଲ୍ଲା ଓ ହଟ୍ଟଗୋଳ । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ରହିଛି । ଏପରି କି ଖଣି ମାଫିଆଙ୍କ ସହ ଅଶ୍ୱିନୀଙ୍କ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ଏତେସବୁ ଅଭିଯୋଗ ପରେ ପରେ ମଧ୍ୟ କେଉଁ ପରିସ୍ଥିତିରେ ବିଜେଡି ତାଙ୍କୁ ସମର୍ଥନ କଲା ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ତେଣୁ ଏ ସମ୍ପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ତାଙ୍କର ବିବୃତ୍ତି ରଖନ୍ତୁ ବୋଲି ସେ ଦାବି କରିଥିଲେ । ବିବୃତ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ । ଏହାପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ସେ ଅମିତ୍ ଶାହଙ୍କ ପୁଅ, ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅଶ୍ୱିନୀଙ୍କର ସମ୍ପର୍କ ଥିବା କଥା ଉଠାଇଥିଲେ । ଏଭଳି ହୋହଲ୍ଲା ଭିତରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ହେଲେ ଏହି ସମୟରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡ଼ି-ବିଜେପି ଭିତିରି ସମ୍ପର୍କ ଥିବା କହି କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ୧୫ମିନିଟ୍ ପାଇଁ ମୁଲତବୀ କରିଦିଆଯାଇଥିଲା । ପରେ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ବୈଠକ ଡାକିଥିଲେ ।

Comments are closed.