ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୦୨/୦୭) : ବିଶ୍ୱକର୍ତ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀ ଙ୍କୁ ସାଥିରେ ନେଇ ଆଡ଼ପବେଦୀରୁ ବିଜେ କରିଛନ୍ତି ଜନ୍ମ ବେଦୀରେ । ମାଉସୀ ଗୁଣ୍ଡିଚାରାଣୀଙ୍କ କଥା ରଖି ପ୍ରଭୁ ନଅ ଦିନ ଧରି ନବଦିନାତ୍ମକ ଦଶବତାର ଲୀଳା ସମ୍ଭାରଣ କରିବେ ।
ସେହି ନୀତି ଅନୁଯାୟୀ ବିଶ୍ୱକର୍ତ୍ତା ମହାପ୍ରଭୁ ଆଜି ମତ୍ସ ଅବତାର ରେ ଅବତାରଣ ହୋଇଛନ୍ତି । ମାନ୍ୟତା ଅଛି ଗୁଣ୍ଡିଚାବେଦୀରେ ଶ୍ରୀ ଜଗନ୍ନାଥଙ୍କୁ ଏହି ଦଶବତାରରେ ଦର୍ଶନ କଲେ କୋଟୀଜନ୍ମର ପାପ ବିମୋଚନ ହୋଇଥାଏ । ଦୀର୍ଘ ଦୁଇ ବର୍ଷ ର ଅପେକ୍ଷା ପରେ ରାୟଗଡ଼ା ବାସିନ୍ଦା ଏହି ଶୁଭ ଅବସର ପ୍ରାପ୍ତ କରିଥିବାରୁ ଚଳିତ ବର୍ଷ ର ରଥଯାତ୍ରା ଅଧିକ ଭକ୍ତରଣ୍ୟ ହୋଇଛି । ପ୍ରଶାସନ ପକ୍ଷରୁ ରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଳିକି ଭଳି ପସରା ଦୋକାନ ବଜାରରେ ରାୟଗଡ଼ା ମୁଖ୍ୟ ବଜାର ମହକି ଉଠୁଛି ।
କିନ୍ତୁ, ଏତେସବୁ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଭିତରେ ଭକ୍ତ ଟିକିଏ ନିରୁତ୍ସାହ ହୋଇଥିଲେ । ଜଗନ୍ନାଥଙ୍କ ଯାତ୍ରାର ମୁଖ୍ୟ ଆକର୍ଷଣ ତଥା ଭକ୍ତ ଙ୍କ ଆଶାଥାଏ ମହାପ୍ରସାଦ ଉପରେ । କିନ୍ତୁ ନିର୍ଦ୍ଧାରିତ ମୂଲ୍ୟ ଦେଇ ସୁଦ୍ଧା ଭକ୍ତ ଆଶାନୁରୂପ ମହାପ୍ରସାଦ ପାଇପାରି ନଥିଲେ । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅବଢ଼ା ର ମୂଲ୍ୟ ଦ୍ଵିଗୁଣୀତ ହୋଇଥିବା ସତ୍ୱେ ପ୍ରବଳ ଭକ୍ତଙ୍କ ଧାଡି ଦେଖିବାକୁ ମିଳିଥିଲା । ବିଡ଼ମ୍ବନା ଏୟା ଥିଲା କି ବହୁତ ଭକ୍ତ ଟିକଟ ନପାଇ ନିରାଶ ହୋଇଥିଲେ । ଆଉ ଯେଉଁମାନେ ଅବଢ଼ା ପାଇଥିଲେ ଅବଢ଼ାର ପରିମାଣ କମ ଦେଖି ନିରୁତ୍ସାହିତ ହୋଇଥିଲେ । ୮୦ ଟଙ୍କା ମୂଲ୍ୟ ନିର୍ଦ୍ଧାରିତ କରି ମଧ୍ୟ ଅବଢ଼ାରେ ନା ଥିଲା ଡାଲି ନା ତରକାରୀ, ମାତ୍ର ଦୁଇଟି ସାରୁଫଳରେ ଭକ୍ତ ନିଜକୁ ସନ୍ତୁଷ୍ଟ କରିବାକୁ ପଡିଥିଲା ।
ଦେବତ୍ତର ବିଭାଗ ତରଫରୁ ମହାପ୍ରସାଦ ବିକ୍ରୟ କୁ ନେଇ କୌଣସି ସୁ-ବ୍ୟବସ୍ଥା ଦେଖିବାକୁ ମିଳିନଥିଲା । ଆଗାମୀ ଦିନଗୁଡ଼ିକରେ ପ୍ରବଳ ମାତ୍ରାରେ ଭକ୍ତ ସମାଗମ ର ସୂଚନା ରହିଥିବା ବେଳେ ଜନସାଧାରଣ ଙ୍କ ମନସ୍ଥିତିକୁ ଦୃଷ୍ଟିରେ ରଖି ମହାପ୍ରସାଦ ର ମାନ ଓ ପରିମାଣ ପ୍ରତି ଦେବତ୍ତର ବିଭାଗ ଟିକିଏ ସଚେତନ ଧ୍ୟାନ ଦେବା ଜରୁରୀ ବୋଲି ଭକ୍ତଗଣଙ୍କ ତରଫରୁ ସାଧାରଣ ରେ ଦାବି ହୋଇଛି ।