Thursday, March 28, 2024

Top 5 This Week

Related Posts

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୨୯/୦୬) : ରାୟଗଡା ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଅବସରରେ ରାୟଗଡା ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ।

ଏହି ମିଳିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶୁଶ୍ରୀ ସରସ୍ଵତୀ ମାଝି ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି ।

ଆଜି ଆମେ ଯେଉଁ କାର୍ଯ୍ୟ କରୁଛେ ତାହା ଆଗାମୀ ଦିନରେ ଜିଲ୍ଲା ପାଇଁ ସୁଫଳ ଆଣିଦେବ । ଗୋଟିଏ ବିଭାଗର କାମ ଅନ୍ୟ ବିଭାଗ ପ୍ରତି ପରୋକ୍ଷରେ ସହାୟକ ହେଉଛି ତେଣୁ ମିଳିତ ଭାବେ ଯୋଜନା କରି କାର୍ଯ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି । କିଶୋର କିଶୋରୀ ମାନଙ୍କୁ ଶିକ୍ଷା ଓ ସଚେତନତା କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ ।

ଗତ ଦିନ ମାନଙ୍କରେ ମାନବ ଶୃଙ୍ଖଳ ଦ୍ଵାରା ବାଲ୍ୟ ବିବାହ ନିଷେଧ ନିମନ୍ତେ ସଚେତନ କାର୍ଯ୍ୟକ୍ରମ, ବିଦ୍ୟାଳୟ ମାନଙ୍କରେ ନିୟମିତ ଉପସ୍ଥାନ, ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ବିଭିନ୍ନ ବିଭାଗ ଦ୍ଵାରା ନିଆଯାଇଥିବା ବିଷୟରେ ଆଲୋଚନା ହୋଇଥିଲା । ସରକାର ଯେଉଁ ଶିଶୁମାନେ ପ୍ରାଥମିକ ଶିକ୍ଷାପାଇଁ ୧ କିମିରୁ ଅଧିକ ଦୂରରୁ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ୩ କିମିରୁ ଅଧିକ ଦୂରରୁ ଆସୁଛନ୍ତି ସେମାନେ କିପରି ପରିବହନ ଖର୍ଚ୍ଚ ପାଇବେ ବୋଲି ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ତାହା ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଯେଉଁ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସୁ ନାହାନ୍ତି କିମ୍ବା ଅଧାରୁ ପାଠ ପଢା ବନ୍ଦ କରି ଦେଉଛନ୍ତି ତାହାର କାରଣ ଖୋଜି ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲାପାଳ ମହୋଦୟ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ର ପ୍ରତ୍ୟେକ ପଞ୍ଚାଯତରେ ଆଗାମୀ ମାସ ର ୨୯ ତାରିଖ ଦିନ, ପ୍ରତ୍ୟେକ ବ୍ଲକରେ ଅଗଷ୍ଟ ମାସର ୨୯ ତାରିଖ ଦିନ ପଞ୍ଚାଯତ ସ୍ତରୀୟ ଶିଶୁ ସୁରକ୍ଷା ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକର ଆୟୋଜନ କରି ଶିଶୁ ମାନଙ୍କ ସମସ୍ୟା ଗୁଡିକୁ ସମାଧାନ କରିବା ନିମନ୍ତେ ପଦକ୍ଷେପ ନେବା ନିମନ୍ତେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରଯାଇଥିଲା ।

ଏହି କମିଟି ର ସଦସ୍ୟ ମାନେ ଗଣ ସଚେତନତା ପାଇଁ ଆଗାମୀ ଦିନରେ ୧୦୦ ଦିନିଆ ପଦଯାତ୍ରା ର କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଗୋଟିଏ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ବିଶେଷ କରି ଗ୍ରାମ ପଞ୍ଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ଵ ନେବାପାଇଁ ମତବ୍ୟକ୍ତ କରିଛନ୍ତି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଚଳିତ ୩ ମାସରେ ଜିଲ୍ଲାରେ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟି ର ବୈଠକ ଅନୁଷ୍ଠିତ ହୋଇଛି । ଗତ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷ ଜିଲ୍ଲାରେ ମୋଟ ୮୯ ଗୋଟି ବାଲ୍ୟବିବାହକୁ ବନ୍ଦ କରାଯିବା ସହିତ, ଆଜି ପର୍ଯ୍ୟନ୍ତ ୧୩୪୫ ଟି ରାଜସ୍ୱ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି ବୋଲି କହିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ୟୁନିସେଫ ଓ ଆକ୍ସନ ଏଡ ର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ ।

ପରେ ପରେ ଆକ୍ସନ ଏଡ ର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନ ର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଏହା ସହିତ ଶିଶୁ ମାନଙ୍କ ପାଇଁ ବିକଳ୍ପ ଯତ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା- ସି ଆର ଏସ ଦ୍ଵାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡାକୁ ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ କୁମାର ନାୟକ ଉପସ୍ଥାପନ କରିଥିଲେ ଏବଂ ଏହା ଆଲୋଚନା କରାଯାଇ ଗୃହିତ କରଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ପି ଏ ଆଇଟି ଡି ଏ ଶ୍ରୀ ପଦ୍ମନାଭ ନାୟକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ବି ଏଲ ଏନ ପୃଷ୍ଟି, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକ ଅଧ୍ୟକ୍ଷା/ ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରାଜ କିଶୋର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ, ଜିଲ୍ଲା ର ସମସ୍ତ ସିଡିପିଓ ତଥା ବାଲ୍ୟବିବାହ ନିଷେଧ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ର ସମସ୍ତ କର୍ମକତା ପ୍ରମୁଖ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles