ସରକାରୀ ସହାୟତା ଅପେକ୍ଷାରେ ତିନି ଅନାଥ ଶିଶୁ କନ୍ୟା

0
133
ସରକାରୀ ସହାୟତା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୦୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ର ଦାଣ୍ଡିଆ ସାଇରେ ଘଟିଛି ଏକ ଦୁଃଖଦ ଘଟଣା । ବାପା ପରେ ମାଁ ଆରପାରିରେ ଚାଲିଗଲେ ଅନାଥ ହୋଇଗଲେ ତିନି ଜଣ ଶିଶୁ କନ୍ୟା

ସୂଚନା ଅନୁଯାୟୀ ୨୦୧୫ ମସିହାରେ ବାପା ନାଗେଶ ଭତ୍ରା ଙ୍କ ମୃତ୍ୟୁ ହୋଇଯାଇଥିଲା । ମାଁ ମଣି ଭତ୍ରା ୩ ଝିଅ କୁ ନେଇ ବହୁ ଦୁଃଖ କଷ୍ଟରେ ପନିପରିବା ବିକ୍ରି କରି ଚଳି ଆସୁଥିଲେ । ଯେଉଁ ଟଙ୍କା ପାଉଥିଲେ ସେଥିରେ ଘର ଚଳାଇବା ସହିତ ପିଲାଙ୍କ ପାଠ ପଢା ଖର୍ଚ୍ଚ କରିଆସୁଥିଲେ । କିନ୍ତୁ ଭାଗ୍ୟ ର ବିଡ଼ମ୍ବନା ଯେ ମାଁ ମଣି ଭତ୍ରା ମଧ୍ୟ କ୍ୟାନସ ର ରୋଗରେ ଆକ୍ରାନ୍ତ ହୋଇ ପଡିଲେ, ପରେ ରାୟଗଡ଼ା, କଟକ, ବ୍ରହ୍ମପୁର, ବିଶାଖାପାଟଣା, ମେଡିକାଲରେ ଯାଇ ଟ୍ରିଟମେଣ୍ଟ କରିବା ପରେ ମଧ୍ୟ ଟଙ୍କା ଅଭାବ ଯୋଗୁଁ ଘରକୁ ଫେରିବା କୁ ବାଧ୍ୟ ହୋଇଥିଲେ ।

କିଛି ଦିନ ପରେ ମାଁ ମଣି ଙ୍କ ଦେହ ଅଧିକ ଅସୁସ୍ଥ ହୋଇ, ଜୁନ ମାସ ୧୭ ତାରିଖ ଦିନ ମୃତ୍ୟୁ ହୋଇଗଲେ । ବର୍ତ୍ତମାନ ୩ ପିଲା ବାପା ମାଁ ଛେଉଣ୍ଡ ଅନାଥ ହୋଇ ଗଲେ । ମାଁ ଏବଂ ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ନିଃସହାୟ ଓ ଉପାୟ ଶୂନ୍ୟ ହୋଇ ଭଗବାନ ଙ୍କ ଭରସାରେ ସହାୟତାକୁ ଅନେଇ ବସିଛନ୍ତି । ବାପା ମାଁ ଙ୍କୁ ହରାଇ ଅନାଥ ହୋଇ ଯାଇଥିବା ୩ ଜଣ ଶିଶୁ କନ୍ୟା ମଧ୍ୟରୁ ଦ୍ୱିତୀୟ ଝିଅ ଇନ୍ଧୁ ସପ୍ତମ ଶ୍ରେଣୀରେ ପଢନ୍ତି ତୃତୀୟ ଝିଅ ଜିନା ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ବଡ଼ ଝିଅ ଦଶମ ଶ୍ରେଣୀରେ, କିନ୍ତୁ ଏବେ ଚିନ୍ତା କାରଣ ହୋଇପଡ଼ିଛି ଅନାଥ ବାପା ମାଁ ଛେଉଣ୍ଡ ପିଲା ମାନେ କେମିତି ପାଠ ପଢ଼ିବେ, ସେମାନଙ୍କ ଘର କେମିତି ଚାଲିବ ବୋଲି ଚିନ୍ତିତ ।

ଏହି ଅନାଥ ପରିବାରକୁ ଆବାସ ଯୋଜନା ନାହିଁ । ଘର ଖଣ୍ଡିଏ ନାହିଁ ସାହିରେ ଯିଏ ଯାହା ଦେଲେ ତାହା ଖାଇ ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏହି ଅନାଥ ପରିବାରକୁ ପ୍ରଶାସନ ପକ୍ଷରୁ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହଷ୍ଟେଲ ବ୍ୟବସ୍ଥା କରି ଥଇଥାନ ଓ ସହଯୋଗ କରାଯାଉ ବୋଲି ଡାଣ୍ଡିଆସାହି ଲୋକ ମାନେ ଦାବି କରିଛନ୍ତି ।