Related Contents

ଯୁବତୀଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଦ୍ବାରା ପୋଲିସ ଅଟକ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୧/୦୬): ଲୋଇସିଂହା ଥାନା ଅଧିନ ଅମାମୁଣ୍ଡା ଗ୍ରାମରେ ଗତ ୮ତାରିଖ ଶନିବାର ଜନୈକା ଯୁବତୀଙ୍କ ଝୁଳନ୍ତା ମୃତଦେହ ଗାଁ ନିକଟସ୍ଥ ଏକ ପଳାସ ଗଛରେ ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ଗୁରୁବାର ଦିନଠାରୁ ଘରୁ ନିଖୋଜ ଥିଲେ ।

ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ହୋଇ ବସି ରହିଥିଲା । ତେବେ ଗ୍ରାମର ଜନୈକ ଯୁବକଙ୍କ ସହିତ ମୃତା ଯୁବତୀଙ୍କ ପ୍ରେମ ସମ୍ପର୍କ ଥିବା ଏବଂ ସମ୍ପୃକ ଯୁବକ ହିଁ ଯୁବତୀଙ୍କ ହତ୍ୟାକାରୀ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିଲା । ପୋଲିସର ଢିଲା କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଆଇନକୁ ହାତକୁ ନେବା ପାଇଁ ଆଗଭର ହେବା ସହିତ ଆଜି ସନ୍ଧ୍ୟାରେ ଅଭିଯୁକ୍ତ ଯୁବକ ଗ୍ରାମର ଆଲୋକ ସାହୁଙ୍କୁ ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ । ଏପରିକି କିଛି ମହିଳା ଆଲୋକକୁ ଉତ୍ତମ ମଧ୍ୟମ ଦେବା ସହିତ ପୋଲିସକୁ ଖବର ଦେଇଥିଲେ । ସନ୍ଧ୍ୟାରେ ଗ୍ରାମରେ ପୋଲିସ ପହଂଚିବା ପରେ ସ୍ଥାନୀୟ ମହିଳା ମାନଙ୍କ ସହିତ ପୋଲିସର ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଉତ୍ୟକ୍ତ ମହିଳା ମାନେ ପୋଲିସକୁ ମଧ୍ୟ ଦୁଇ ଘଣ୍ଟା ଧରି ଗ୍ରାମରେ ଅଟକ ରଖିଥିବା ଖବର ମିଳିଛି । ତେବେ ଅଟକ ଯୁବକକୁ ଗିରଫ କରାଯିବା ପାଇଁ ପୋଲିସ ପ୍ରତିଶ୍ରୁତି ଦେବା ପରେ ରାତି ୯ଟା ପରେ ପୋଲିସ ଅଭିଯୁକ୍ତ ଆଲୋକକୁ ଧରି ଲୋଇସିଂହା ଥାନାକୁ ଫେରିଥିବା ଜଣାଯାଇଛି ।

Leave a Reply

This site uses Akismet to reduce spam. Learn how your comment data is processed.