ଆୟୁର୍ବେଦ ଚିକିତ୍ସାରେ ଲବଙ୍ଗ

0
166
ଆୟୁର୍ବେଦ

ଉପସ୍ଥାପନା : ରାମନାଥ ଗନ୍ତାୟତ 
ଭୁବନେଶ୍ୱର, (୨୫/୦୬) : ବିଶ୍ୱ ର ସର୍ବପୁରାତନ ଚିକିତ୍ସା ପଦ୍ଧତି ଆୟୁର୍ବେଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଆୟୁର୍ବେଦ ର ସ୍ଥାନ ବହୁ ଉର୍ଦ୍ଧ୍ଵରେ । ଏନ୍ତୁଡ଼ିଶାଳରୁ ଆରମ୍ଭ କରି ମଶାଣୀ ପର୍ଯ୍ୟନ୍ତ ମଣିଷ ଜୀବନରେ ଆୟୁର୍ବେଦ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । 

ଭଗବାନ୍‌ଙ୍କ ସୃଷ୍ଟିରେ ସଂସାରରେ ଏମିତି କୌଣସି ବୃକ୍ଷଲତା, ଫଳ, ଫୁଲ ନାହିଁ, ଯାହାର କିଛି ଔଷଧୀୟ ଗୁଣ ନାହିଁ । ତନ୍ମମଧ୍ୟରୁ ଲବଙ୍ଗ ଅନ୍ୟତମ । ସାଧାରଣତଃ ଲବଙ୍ଗ ର ବ୍ୟବହାର ମୁଖ ଦୁର୍ଗନ୍ଧ କିମ୍ୱା ମସଲା ରୂପରେ ବ୍ୟବହାର ହୋଇଥାଏ । କିନ୍ତୁ ଏଥିରେ ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ଭରପୁର ହୋଇ ରହିଅଛି ଯାହା ଆୟୁର୍ବେଦ ଚିକିତ୍ସାରେ ବହୁଳ ଭାବରେ ବ୍ୟବହାର କରାଯାଏ । ଭାରତବର୍ଷ ର କେରଳ ତଥା ତାମିଲ୍‌ନାଡୁରେ ଲବଙ୍ଗ ଚାଷ କରାଯାଇଥାଏ । ଭାରତବର୍ଷରେ ଏହାର ବହୁଳ ବ୍ୟବହାର କାରଣରୁ ଲବଙ୍ଗକୁ ବିଦେଶରୁ ମଧ୍ୟ ମଗାଯାଇଥାଏ । ପ୍ରାୟତଃ ଲବଙ୍ଗ ଗଛରେ ୯ ବର୍ଷ ପରେ ଫୁଲ ଧରିଥାଏ । ଏହି ଫୁଲକୁ ଶୁଖାଇ ଲବଙ୍ଗ ରୂପେ ବ୍ୟବହାର କରାଯାଏ ।

ବିଭିନ୍ନ ରୋଗରେ ଲବଙ୍ଗ ର ବ୍ୟବହାର :-

ଅଜୀର୍ଣ୍ଣ– ଅଜୀର୍ଣ୍ଣ ହେଲେ ୪ଟି ଲବଙ୍ଗକୁ ଚୂର୍ଣ୍ଣକରି ସେହି ଚୂର୍ଣ୍ଣକୁ ଗରମ ପାଣି ସହିତ ସେବନ କଲେ ଆରାମ୍ ମିଳିଥାଏ ।

ଗ୍ୟାସ୍– ପେଟରେ ଗ୍ୟାସ୍ ହେଲେ ପେଟ ଫୁଲିଥାଏ । ଏହି ରୋଗରେ ଲବଙ୍ଗ, ଯୁଆଣୀ, ଶୁଣ୍ଠି ଏବଂ ସୈନ୍ଧବ ଲୁଣକୁ ସମ ପରିମାଣରେ ଚୂର୍ଣ୍ଣ କରି ୨ ଗ୍ରାମ୍ ଲେଖାଏଁ ସକାଳ ସନ୍ଧ୍ୟାରେ ଉଷୁମ୍ ପାଣି ସହିତ ସେବନ କଲେ ଗ୍ୟାସ୍ ରୋଗରୁ ମୁକ୍ତି ମିଳିଥାଏ ।

ହଜମ– ଲବଙ୍ଗ ସେବନ ଦ୍ୱାରା ଶରୀରରେ ପାଚକ ରସ ବୃଦ୍ଧି ପାଇଥାଏ ତଥା ପାଚନ କ୍ରିୟା ସୁଦୃଢ଼ ହୋଇଥାଏ । ହଜମ୍ ଶକ୍ତି ବଢ଼ିବା ପାଇଁ ୧ ଗ୍ରାମ୍ ଲବଙ୍ଗ, ୩ ଗ୍ରାମ ହରିଡ଼ା, ୨ ଗ୍ରାମ୍ ସୈନ୍ଧବ ଲବଣକୁ ୧ ଲିଟର ପାଣିରେ ମିଶାଇ ସ୍ୱଳ୍ପ ନିଆଁରେ ଗରମ କରନ୍ତୁ, ଅବଶିଷ୍ଟ ୨୫୦ ଗ୍ରାମ୍ କାଢ଼ାକୁ ଏକ ବୋତଲରେ ରଖି ସକାଳେ ଓ ରାତିରେ ୨ ଚାମଚ ଖାଦ୍ୟ ପରେ ସେବନ କଲେ ଏହି ରୋଗରୁ ମୁକ୍ତି ମିଳିଥାଏ ।

ଅମ୍ଳପିତ୍ତ (Acidity)- ଲବଙ୍ଗ ଏକ ଅମ୍ଳନାଶକ ପଦାର୍ଥ । ଅମ୍ଳପିତ୍ତ ରୋଗରେ ଖାଦ୍ୟପରେ ୨ଟି ଲବଙ୍ଗ ଚୋବାଇ ଖାଇଲେ ଅମ୍ଳପିତ୍ତ ରୋଗରୁ ମୁକ୍ତି ମିଳିଥାଏ ।

ଅରୁଚି– ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ପ୍ରତ୍ୟେହ ୧ଟି ଲେଖାଏଁ ଲବଙ୍ଗ ସେବନ କଲେ ଖାଦ୍ୟ ପ୍ରତି ରୁଚି ବଢ଼ିଥାଏ ଏବଂ ଭୋକ ମଧ୍ୟ ବଢ଼ିଥାଏ ।

ହାକୁଟି– ବାରମ୍ୱାର ହାକୁଟି ହେଉଥିଲେ ୩ଟି ଲବଙ୍ଗକୁ ଚୋବାଇ ଥଣ୍ଡାପାଣି ପିଇଲେ ହାକୁଟି ବନ୍ଦ ହୋଇଥାଏ ।

ବାନ୍ତି ଲାଗିବା ଓ ଦେହ ବୁଲାଇବା– ୨ଟି ଲବଙ୍ଗକୁ ପାଟିରେ ରଖି ଚୁଚୁମିଲେ ଦେହ ବୁଲାଇବା ବନ୍ଦ ହେବା ସହ ବାନ୍ଦି ଭଲ ହୋଇଥାଏ ।

ପେଟବିନ୍ଧା– ଯେ କୌଣସି କାରଣରୁ ନିୟମିତ ପେଟବିନ୍ଧା ହେଉଥିଲେ ୨ଟା ଲେଖାଏଁ ଲବଙ୍ଗ ଦିନରୁ ୨ଥର ଖାଲିପେଟରେ ସେବନ କଲେ ୧ ସପ୍ତାହରେ ପେଟବିନ୍ଧାରୁ ମୁକ୍ତି ମିଳିଥାଏ ।

ପତଳା ଝାଡ଼ା– ହଲକା ବା ପତଳା ଝାଡ଼ାରେ ଲବଙ୍ଗ ବହୁ ଉପକାରୀ । ୧ ଗ୍ଲାସ୍ ପାଣିରେ ୪ଟି ଲବଙ୍ଗକୁ ଛେଚି ପକାଇ ଗରମ୍ କରି ୧ କପ୍ ଲେଖାଏଁ ଦିନକୁ ୪ ଥର ପିଇଲେ ଲାଭ ମିଳିଥାଏ ।

କୃମିରୋଗ– ଲବଙ୍ଗ ସେବନ ଦ୍ୱାରା କୃମି ନାଶ ହୋଇଥାନ୍ତି । ପ୍ରତ୍ୟେହ ପିଲାମାନଙ୍କୁ ଲବଙ୍ଗ ମିଶ୍ରିତ ପାଣି ପିଆଇଲେ କୃମି ରୋଗରୁ ମୁକ୍ତି ମିଳିଥାଏ ।

ମୁଣ୍ଡବିନ୍ଧା– ଯେକୌଣସି ପ୍ରକାର ମୁଣ୍ଡବିନ୍ଧାରେ ୪ଟି ଲବଙ୍ଗକୁ ପାଣିରେ ଭିଜାଇ ଶିଳରେ ବାଟି କପାଳରେ ଲେପ ଦେଲେ ମୁଣ୍ଡବିନ୍ଧା କମିଯାଉଥାଏ । ଉଷୁମ୍ ପାଣିରେ ଲବଙ୍ଗକୁ ସିଝାଇ ପିଇଲେ ମଧ୍ୟ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ ।

ମୁଖ ଦୁର୍ଗନ୍ଧ– ମୁଖ ଦୁର୍ଗନ୍ଧ ପାଇଁ ଖାଦ୍ୟ ପରେ ପ୍ରତ୍ୟେହ ୧ଟି ଲେଖାଏଁ ଲବଙ୍ଗ ଖାଇବା ଉଚିତ୍ ।

ଦାନ୍ତବିନ୍ଧା– ଯେ କୌଣସି କାରଣରୁ ଦାନ୍ତବିନ୍ଧା ହେଉଥିଲେ ୨ଟି ଲବଙ୍ଗକୁ ଧୀରେ ଧୀରେ ଚୋବାନ୍ତୁ କିମ୍ୱା ଲବଙ୍ଗ ତେଲକୁ ତୁଳା ସାହାଯ୍ୟରେ ଦାନ୍ତ ମୂଳରେ ଲଗାନ୍ତୁ । ଯାହାଦ୍ୱାରା ଦାନ୍ତବିନ୍ଧା, ଦାନ୍ତ ଫୁଲାରୁ ମୁକ୍ତି ମିଳିଥାଏ ।

ଗଳାଫୁଲା– ଯେ କୌଣସି କାରଣରୁ ଗଳା ଫୁଲିଥିଲେ ଲବଙ୍ଗକୁ ଲୁହାପାତ୍ରରେ ଭାଜି ଚୋବାଇ ଖାଇଲେ ଗଳା ରୋଗରୁ ମୁକ୍ତି ମିଳିଥାଏ ।

କାଶ– କାଶ ହେଲେ ଲବଙ୍ଗକୁ ଲୁହାପାତ୍ରରେ ଭାଜି ରାତିରେ କଳରେ ଜାକିଲେ କାଶ ଭଲ ହୋଇଥାଏ । ଅତ୍ୟଧିକ କାଶ ହେଉଥିଲେ ଲବଙ୍ଗକୁ ଭାଜି ଚୂର୍ଣ୍ଣ କରି ମହୁ ସହିତ ମିଶାଇ ଚାଟିକରି ଖାଇଲେ ଲାଭ ମିଳିଥାଏ ।

ଶ୍ୱାସପାଇଁ– ଶ୍ୱାସରୋଗୀଙ୍କ ପାଇଁ ଲବଙ୍ଗ ବହୁତ ଗୁଣକାରୀ । ଶ୍ୱାସରୋଗରୁ ମୁକ୍ତି ପାଇଁ ଲବଙ୍ଗ ଏବଂ ମରିଚକୁ ସମାନ ମାତ୍ରାରେ ନେଇ ଚୂର୍ଣ୍ଣ କରି ମହୁ ସହିତ ସେବନ କଲେ ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ ।

ଶ୍ୱାସଦୁର୍ଗନ୍ଧ– ଶ୍ୱାସଦୁର୍ଗନ୍ଧ ପାଇଁ ୨ଟି ଲବଙ୍ଗକୁ ପାଟିରେ ରଖି ଦିନକୁ ୨ ଥର ଚୋବାଇଲେ ଶ୍ୱାସ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ ।

ଛାତି ଜଳାପୋଡ଼ା– ଛାତି ଜଳାପୋଡ଼ା ହେଲେ ଲବଙ୍ଗକୁ ବାଟି ମିଶ୍ରିପାଣିରେ ସେବନ କଲେ ଛାତି ଜଳାପୋଡ଼ାରୁ ମୁକ୍ତି ମିଳିଥାଏ ।

ମୂତ୍ର ସମ୍ୱନ୍ଧୀୟ ରୋଗ– ୧ ଗ୍ଲାସ୍ ପାଣିରେ ୪ଟି ଲବଙ୍ଗକୁ ରାତିରେ ଭିଜାଇ ସକାଳକୁ ଖାଲି ପେଟରେ କିଛିଦିନ ସେବନ କଲେ ସମସ୍ତ ପ୍ରକାର ମୂତ୍ର ସମ୍ୱନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ ।

ଗର୍ଭାବସ୍ଥାରେ ବାନ୍ତି– ଲବଙ୍ଗ ଚୂର୍ଣ୍ଣକୁ ମିଶ୍ରି ସହିତ ସେବନ କଲେ ଗର୍ଭାବସ୍ଥାରେ ବାନ୍ତି ବନ୍ଦ ହୋଇଥାଏ ।

ଅଣ୍ଟା ଆଣ୍ଠୁଗଣ୍ଠି ବିନ୍ଧା– ବିନ୍ଧା ହେଉଥିବା ସ୍ଥାନରେ ଲବଙ୍ଗ ତେଲକୁ ମାଲିସ୍ କଲେ ବିନ୍ଧାରୁ ମୁକ୍ତି ମିଳିଥାଏ ।

ନିଃସନ୍ଦେହ ଆୟୁର୍ବେଦ ଚିକିତ୍ସାରେ ଲବଙ୍ଗ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।