ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

0
129
ଭାରତ ର ପ୍ରଥମ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୧୯/୦୬) : ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀ ର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା ।

ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ପିଲା ବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ମନୁ ଥିଲା । ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା । ମନୁଙ୍କ ପିତାମାତା ମହାରାଷ୍ଟ୍ରରୁ ଝାନ୍ସୀ ଚାଲି ଆସିଥିଲେ । ମନୁ ମାତ୍ର ଚାରି ବର୍ଷ ର ହୋଇଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା । ମନୁଙ୍କ ପିତା ମରାଠା ର ବାଜିରାଓଙ୍କ ସେବାରେ ନିୟୋଜିତ ଥିଲେ । ମା’ ଙ୍କ ମୃତ୍ୟୁ ପରେ ମନୁଙ୍କ ସମସ୍ତ ଦାୟୀତ୍ୱ ତାଙ୍କ ପିତା ବହନ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲା ବୟସରୁ ମନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ହୋଇ ଯାଇଥିଲେ ।

ମାତ୍ର ୮ ବର୍ଷ ବୟସରେ ମନୁଙ୍କ ବିବାହ ଝାନ୍ସୀ ର ରାଜା ଗଙ୍ଗାଧର ରାଓଙ୍କ ସହ ହୋଇଥିଲା । ତାପରେ ସେ ଝାନ୍ସୀ ର ରାଣୀ ହୋଇଥିଲେ । ବିବାହ ପରେ ତାଙ୍କ ନାମ ଲକ୍ଷ୍ମୀବାଈ ରଖା ଯାଇଥିଲା । ୧୮୫୧ ମସିହାରେ ଲକ୍ଷ୍ମୀବାଈ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେହି ପୁତ୍ର ର ନାମ ଦାମୋଦର ରାଓ ରଖାଯାଇଥିଲା । ମାତ୍ର ୪ ମାସ ପରେ ତାଙ୍କ ପୁତ୍ର ର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିଥିଲେ । ସେ ତାଙ୍କ ପୋଷ୍ୟ ସନ୍ତାନ ର ନାମ ଦାମୋଦର ରାଓ ରଖିଥିଲେ ।

୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ସ୍ୱୀକାର ନକରି ଇଂରେଜମାନେ ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ତାଙ୍କ ରାଜ୍ୟ ଛଡ଼ାଇ ନେବାକୁ ଚାହୁଁଥିଲେ । ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟ ର ଶାସନ ଭାର ସୁଚାର ରୂପେ ଚଳାଉଥିଲେ । ତେଣୁ ପ୍ରଜା ମାନଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ବିଟ୍ରିଶ ସରକାର ରାଜ୍ୟ ଛଡ଼ାଇ ନେବାକୁ ଯୁଦ୍ଧ କରିଥିଲେ । ବିଟ୍ରିଶ ସରକାର ଯୁଦ୍ଧ ସମୟରେ ରାଜ୍ୟ ର ସମସ୍ତ ସମ୍ପତ୍ତି ଜବତ କରି ନେଇଥିଲେ । ତାଙ୍କ ସ୍ୱାମୀଙ୍କ କରଜ ଟଙ୍କାକୁ ରାଣୀ ଲକ୍ଷ୍ମୀବାଈ ଶୁଝିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାର ପରିଣାମ ସ୍ୱରୂପ ରାଣୀ ଲକ୍ଷ୍ମୀବାଈଙ୍କୁ ଝାନ୍ସୀ କିଲ୍ଲା ଛାଡ଼ି ରାଣୀମହଲ ଯିବାକୁ ପଡ଼ିଥିଲା । କିନ୍ତୁ ଏ’ସବୁ ପରେ ମଧ୍ୟ ରାଣୀ ଲକ୍ଷ୍ମୀବାଈ ହାରିଯାଇ ନଥିଲେ । ଝାନ୍ସୀ ର ରକ୍ଷା ପାଇଁ ରାଣୀ ଲକ୍ଷ୍ମୀବାଈ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

ଏହାର ଚାରି ବର୍ଷ ପରେ ୧୮୫୭ ମସିହାରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା । ୧୮୫୭ ମସିହା ମେ’ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତା ର ପତାକା ଉଡ଼ିଥିଲା, ସେତେବେଳେ ଝାନ୍ସୀ ର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରି ରହିଥିଲେ । ପ୍ରଥମେ ଦିଲ୍ଲୀ ଓ ପରେ ଝାନ୍ସୀରେ ବିପ୍ଳବ ଆରମ୍ଭ ହୋଇଥିଲା । ଝାନ୍ସୀ ର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀ ମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜ ମାନଙ୍କୁ ହଟାଇ ଝାନ୍ସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡ଼ାଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ଯୁଦ୍ଧ କରିବା ସମୟରେ ଘୋଡ଼ାରୁ ପଡ଼ିଯାଇ ଅତ୍ୟନ୍ତ ଗୁରୁତର ଆହତ ହୋଇ ୧୮୫୮ ମସିହା ଜୁନ ୧୮ ତାରିଖରେ ରାଣୀ ଲକ୍ଷ୍ମୀବାଈ ମୃତ୍ୟୁ ବରଣ କରିଥିଲେ । ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ର ମହାନାୟିକା ଥିଲେ । ସ୍ୱଦେଶ ଓ ସ୍ଵଜାତିକୁ ପରାଧୀନତା ର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ଆଜି ଭାରତ ମାତା ର ଏହି ବୀରାଙ୍ଗନା ସୁପୁତ୍ରୀଙ୍କ ତିରୋଧାନ ଦିବସରେ ଗଭୀ ର ଶ୍ରଦ୍ଧାଞ୍ଜଳି ।