ସ୍ୱର୍ଗତ ମଙ୍ଗଳ ଚରଣ ଝୋଡିଆଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୪.୦୬.୨୦୧୯): ରାୟଗଡା ଜିଲ୍ଲା ସ୍ଥିତ କାଶୀପୁର ବ୍ଲକ ପହୁଣ୍ଡି ଗ୍ରାମର କୋପରେଟିଭ ସୋସାଇଟିର ପୂର୍ବତନ ସହକାରୀ ନିବନ୍ଧକ ସ୍ୱର୍ଗତ ମଙ୍ଗଳ ଚରଣ ଝୋଡିଆ ଆଉ ଆମ ଗହଣରେ ନାହାନ୍ତି | ୬୭ବର୍ଷ ବୟସରେ ହଠାତ ହୃଦଘାତରେ ସେ ପ୍ରାଣତ୍ୟାଗ କରିଛନ୍ତି | କାଶୀପୁର ବ୍ଲକ ପୁହୁଣ୍ଡି ବାସିନ୍ଦା ସ୍ବର୍ଗତ ଶ୍ରୀ ଝଡିଆ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ ଅଫିସର ଥିଲେ | ସେ ଶିକ୍ଷାକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଆସିଥିଲେ | ତାଙ୍କ ମତରେ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଜଣେ ସାଧାରଣ ସମ୍ପ୍ରଦାୟର ହୋଇଥିଲେ ବି, ଶିକ୍ଷା ଦ୍ୱାରା ସମାଜରେ ଏକ ସମ୍ମାନିତ ଏବଂ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ; ତାଙ୍କର ଏହି ଚିନ୍ତାଧାରା କୁ ସେ ବାସ୍ତବ ଜୀବନରେ କାର୍ଯ୍ୟରେ ପରିଣତ କରି ଦେଖାଇଥିଲେ ।

ନିଜର ଛଅ ଜଣ ସୁଯୋଗ୍ୟ ସନ୍ତାନଙ୍କୁ ଉଚ୍ଚ ଶିକ୍ଷିତ କରାଇ ସମାଜରେ ପ୍ରତିଷ୍ଠିତ ପଦବୀରେ ପହଞ୍ଚାଇ ପାରିଥିଲେ | ଝଡିଆ ସମ୍ପ୍ରଦାୟରେ ଝିଅ ମାନେ ବାହାରକୁ ବାହାରିବା ବି ମନାଥିବା ବେଳେ ନିଜର ଚାରିଜଣ ଝିଅଙ୍କୁ ସେ ସମ୍ପୂର୍ଣ ସ୍ୱାଧୀନ ଦେଇଥିଲେ | ଫଳ ସ୍ୱରୂପ ଝିଅମାନଙ୍କ ମଧ୍ୟରୁ ଜଣେ ଡାକ୍ତର, ଜଣେ ଅଧ୍ୟାପିକା, ଜଣେ ଓଏଏସ, ଆଉ ଜଣେ ହାଇସ୍କୁଲ ଶିକ୍ଷୟତ୍ରୀ ହୋଇଥିବା ବେଳେ ଜଣେ ପୁଅ ଇଞ୍ଜିନିୟର ହୋଇ ପାରିଛନ୍ତି | କେବଳ ନିଜ ପରିବାର ନୁହେଁ ସମଗ୍ର ଝଡିଆ ସମ୍ପ୍ରଦାୟର ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ,ଏବଂ ପଦକ୍ଷେପ ବି ନେଉଥିଲେ | ସ୍ୱର୍ଗତ ଝଡିଆ ଜଣେ ଉଚ୍ଚ ଶିକ୍ଷିତ ହେବା ସହିତ ଜଣେ ଆଦର୍ଶବାଦୀ, ମିଷ୍ଟଭାଷୀ, ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ | ମୂର୍ତ୍ୟୁ ପୂର୍ବରୁ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସ୍ୱର୍ଗତ ଝଡିଆଙ୍କ ମୃତ୍ୟୁ ଖବର ପାଇ ଜ୍ଞାତିକୁଟୁମ୍ବଙ୍କ ସହିତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନସାଧାରଣ ତାଙ୍କ ବାସଭବନରେ ପହଞ୍ଚିଥିଲେ | ନିଜର ଜ୍ଞାତି କୁଟୁମ୍ବଙ୍କ ଉପସ୍ଥିତିରେ ନିଜ ଜନ୍ମମାଟି ପୁହୁଣ୍ଡି ଗ୍ରାମରେ ହିଁ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା | ତାଙ୍କର ଦ୍ଵାଦଶାହ କାର୍ଯ୍ୟକ୍ରମରେ ଝଡିଆ ସମ୍ପ୍ରଦାୟର ଜନସାଧାରଣଙ୍କ ସହିତ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, କଂଗ୍ରେସ ର ପୂର୍ବତନ ଲୋକସଭା ସାଂସଦ ଶ୍ରୀକାନ୍ତ ଜେନା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୁଆଲ ମାଝୀ, ଲ୍ୟାମ୍ପ ଏମଡି ଏସକେ ଷଡ଼ଙ୍ଗୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସ୍ୱର୍ଗତ ଝଡ଼ିଆଙ୍କ ବିୟୋଗ ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି |

ଓଡିଶା ନ୍ୟୁଜ୨୪ ତରଫରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Comments are closed.