ଆଜିଠୁ ଅଣସରରେ ରହିବେ ମହାପ୍ରଭୁ : ଉପଶମ ପାଇଁ ୧୫ ଦିନ ଚାଲିବ ଗୁପ୍ତସେବା

0
158
ଆଜିଠୁ ଅଣସରରେ

ରିପୋର୍ଟ : ସୁବାଶିଷ ନାୟକ
ଭୁବନେଶ୍ୱର, (୧୫/୦୬) : ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଅସୁସ୍ଥ ହୋଇଥିବାରୁ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ଆଜିଠୁ ଅଣସରରେ ରହିବେ ମହାପ୍ରଭୁ । ଉପଶମ ହେବା ଯାଏଁ ୧୫ ଦିନ କାଳ ଅଣସର ଘରେ ରହିବେ । କାଳିଆ ଠାକୁରଙ୍କ ଆରୋଗ୍ୟ ପାଇଁ ଅଣସର ଘରେ ଗୁପ୍ତ ସେବା କରାଯିବ । ବୈଦ୍ୟମାନେ ଚିକିତ୍ସା କରିବେ ।

ଆଜିଠୁ ଅଣସରରେ ରହିବେ ମହାପ୍ରଭୁ । ଗତକାଲି ଦୀର୍ଘ ଦୁଇ ବର୍ଷ ପରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଥିଲେ ଜଗତ ର ନାଥ । କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ୧୦୮ ଗରା ସୁବାସିତ ଜଳରେ କାଳିଆ ଠାକୁରଙ୍କ ଜଳାଭିଷେକ ହୋଇଥିଲା । ଏହାପରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଥିଲା ।

ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି । ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ବୁଧବାର ଠାରୁ ପଟିଦିଅଁ ପୂଜା ପାଇବେ । ଏଥିପାଇଁ ବୁଧବାର ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିବେ । ଅନ୍ୟପଟେ ଆଜି ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି ।

ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି । ପରେ ଅଣସର ତାଟି ବନ୍ଧା ଯାଇଛି । ଶ୍ରୀଜିଉଙ୍କ ଅଣସର ନୀତି ୧୪ ଦିନ ଧରି ଚାଲିବ । ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ ।

ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମାଁ ସୁଭଦ୍ରାଙ୍କ ରୂପରେ ମାଁ ଭୁବନେଶ୍ୱରୀ ପୂଜା ପାଇବେ । ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ ।