Related Contents

ବଲାଙ୍ଗୀର ଜିଲ୍ଲାରେ “ଫନି ବାତ୍ୟା” ରୁ ବି ବେଶୀ ଅନୁଭୂତ ହେଲା କାଳବୈଶାଖୀ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ଗତକାଲି ହେଇଥିବା କାଳବୈଶାଖୀରେ ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି | ପ୍ରଭାବ ଏତେ ଥିଲା ଯେ ବାତ୍ୟା ଫନି ସାଙ୍ଗରେ ତୁଳନା କଲେ ମଧ୍ୟ କିଛି ଭୁଲ ହେବ ନାହିଁ | ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ହାରା ହାରି ୧୪୦ ରୁ ଉପରେ ରହିଥିବା ଅନୁମାନ କରାଯାଇଛି |

ତେବେ ଏହାର ପ୍ରଭାବରେ ଜନସାଧାରଣ ନାହିଁ ନ ଥିବା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଲ ପ୍ରବଳ ପବନ ଯୋଗୁଁ ମୁରିବାହାଲ ସହର ଆଖ ପାଖରେ ଥିବା ଡ଼ୁମେରପଡା, ସିଲଟପଡ଼ା, ଘଣ୍ଟବହାଲ, ସାଲେପଡା ଭଳି ଗ୍ରାମ ବହୁତ ପରିମାଣରେ କ୍ଷତିଗ୍ରସ୍ଥ ହୋଇଛି | ଅଂଚଳର ବିଭିନ୍ନ ରାସ୍ତାରେ ହଜାର ହଜାର ବୃକ୍ଷ ଭାଙ୍ଗି ପଡି ରହିଥିବାରୁ ଯାତାୟାତ ଠପ ହୋଇଯାଇଛି | ମୁରିବାହାଲ ହାଟପଦା ପଡାରେ ଥିବା ବିଏସଏନଏଲ ଟାୱାର ପବନର ବେଗ ସହି ନ ପାରି ରାସ୍ତା ଉପରେ ପଡି ସ୍ଥାନୀୟ କୁନ୍ତ ପୋଢ଼ଙ୍କ ଘରକୁ ମଧ୍ୟ କେତେ ମାତ୍ରାରେ କ୍ଷତି କରିଛି | ବିଦ୍ୟୁତ ତାର ସହ ଖୁଣ୍ଟ ମଧ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପଡିରହିଥିବା ଯୋଗୁଁ ବିଦ୍ୟୁତ ସେବା ସମ୍ପୂର୍ଣ ଭାବରେ ଠପ ହୋଇ ଯାଇଅଛି | ତେବେ ବିଦ୍ୟୁତ ସେବା ପୁଣି କେବେ ଫେରିବ କିଛି ଅନୁମାନ କରି ହେଉନାହିଁ | ବିଭିନ୍ନ ସ୍ଥାନରେ ଆଜବେଷ୍ଟସ ଉଡି ବିଦ୍ୟୁତ ଖୁଣ୍ଟ ଉପରେ ଲାଖି ରହିଥିବା ଦେଖିବାକୁ ମିଳିଛି |

ମୁରୀବାହଲ ରେଳଷ୍ଟେସନର ରେଳଲାଇନ ଉପରେ ଗଛ ପଡିଯିବାରୁ ଟିଟଲାଗଡ ରାୟପୁର ଲୋକାଳ ଟ୍ରେନ ଘଣ୍ଟାଏ ରୁ ଅଧିକ କାଳ ଷ୍ଟେସନରେ ଛିଡା ରହିଥିଲା | ଷ୍ଟେସନ ମଧ୍ୟରେ ଥିବା ପଙ୍ଖା ମଧ୍ୟ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା | ଏ ସମ୍ପର୍କରେ ଆମ ପ୍ରତିନିଧି ତହସିଲଦାରଙ୍କୁ ଜଣାଇବାରୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଯଥାଶୀଘ୍ର ସାହାଯ୍ୟ କରାଯିବ ବୋଲି ମୁରିବାହାଲ ତହସିଲଦାର ମତବ୍ୟକ୍ତ କରିଥିଲେ | ଜନସାଧାରଣ କହିବା ଅନୁସାରେ ବିଏସଏନଏଲ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟରେ ସେମାନେ ଟାୱାରଟିକୁ ଧ୍ୟାନ ନ ଦେଇ ଥିବାରୁ ଏବଂ ଠିକ ଭାବରେ ରକ୍ଷଣାବେକ୍ଷଣ ନ କରିଥିବାରୁ ଏହା ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି |

ତେବେ ବିଦ୍ୟୁତ ବିଭାଗର ଅବହେଳା ଏବଂ ଟିକିଏ ପବନରେ ମଧ୍ୟ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ ସାଙ୍ଗକୁ ପୁରୁଣା ତାରକୁ ନ ବଦଲା ଯିବା ଯୋଗୁଁ ଏହି ସମସ୍ୟା ଦେଖା ଦେଇଥିବା ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚା ଜୋର ଧରିଛି | ତେବେ ସାଧାରଣ ଲୋକଙ୍କ ହୋଇଥିବା କ୍ଷତି କେବେ ପୂରଣ ହେବ ଓ ବିଦ୍ୟୁତ ସେବା କେବେ ଫେରିବ ସେଟା ଦେଖିବା ବାକି ରହିଲା |

Comments are closed.