Friday, March 29, 2024

Top 5 This Week

Related Posts

ପାତାଳି ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୬) : ସୁବର୍ଣ୍ଣପୁର ଜିଲ୍ଲା ର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶ ଆଜି ଅନୁଷ୍ଠିତ ହୋଇଛି ।

ଏଥିପାଇଁ ପାତାଳି ଶ୍ରୀକ୍ଷେତ୍ରରେ ଭୋର ସକାଳ ୫ ଟାରେ ମଙ୍ଗଳ ଆଳତି, ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଟାରେ ଶ୍ରୀଜିଉଙ୍କ ମହାସ୍ନାନ ଓ ଅପରାହ୍ନ ୧ ଘଣ୍ଟାରେ ଦୁର୍ଲ୍ଲଭ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବଡି ଭୋରରୁ ପବିତ୍ର ମହାନଦୀ ର ବଢାଲି ଘାଟରୁ ଭାରୁଆମାନଙ୍କ ଦ୍ୱାରା ଜଳ ଆଣି ସ୍ନାନ ବେଦୀରେ ସ୍ଥାପନ କରିଥିଲେ । ପରେ ମହାପ୍ରଭୁଙ୍କ ଠାରେ ମଙ୍ଗଳ ଆଳତୀ ଓ ଖେଚୁଡି ଭୋଗପରେ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା ।

ପୂଜାନୀତି, ହୋମଯଜ୍ଞାଦିପରେ ଚନ୍ଦନ ଅଗୁର, କେଶର, ଗଙ୍ଗାଜଳ, ଚୂଆ, ପଞ୍ଚକଷାୟ, କର୍ପୁରାଦି ମିଶ୍ରିତ ସୁବାସିତ ଜଳରେ ରୁପାକଳସୀରେ ଶ୍ରୀ ସୁଦର୍ଶନଙ୍କୁ ୧୮ ପୂର୍ଣ୍ଣ କୁମ୍ଭ ଶ୍ରୀ ବଳଭଦ୍ର ଙ୍କୁ ୩୩ ପୂର୍ଣ୍ଣକୁମ୍ଭ, ଦେବୀ ସୁଭଦ୍ରାଙ୍କୁ ୨୨ ପୂର୍ଣ୍ଣ କୁମ୍ଭ ଓ ଶ୍ରୀ ଜଗନ୍ନାଥଙ୍କୁ ୩୫ ପୂର୍ଣ୍ଣକୁମ୍ଭ ସୁବାସିତ ଜଳରେ ସ୍ନାନ କରାଯାଇ ପରେ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ଧରି ସମସ୍ତ ଯାନିଯାତ୍ରା ଭକ୍ତଙ୍କ ବିନା କେବଳ ନୀତିକାନ୍ତୀରେ ସମାପନ ହୋଇଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଅପୂର୍ବ ଆନନ୍ଦ ପ୍ରକାଶ ପାଇଛି । ସେହି କ୍ରମରେ ଆଜି ଶ୍ରୀଜିଉଙ୍କ ଏହି ଅପୂର୍ବ ସ୍ନାନଯାତ୍ରା ଓ ଗଜାନନ ବେଶ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ସମସ୍ତ କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବରେ କରାଯିବାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିଲା ।ଆଜିର ପୂଜାକାର୍ଯ୍ୟ ପଣ୍ଡିତ ବିଶେଶ୍ୱର ପାଢ଼ୀ, ଗୁଣାକରପଣ୍ଡା ତୁଳାଇଥିବା ବେଳେ ଯଜ୍ଞକାର୍ଯ୍ୟ ପଣ୍ଡିତ ଦେବାର୍ଚ୍ଚନ ଦାଶ ଓ ଛେରାପହଁରା କାର୍ଯ୍ୟ ଗ୍ରାମ ର ଗଡତ୍ୟା ଚମରା ଅମାତ ତୁଳାଇଥିଲେ । ଆଖପାଖ ସମସ୍ତ ଗ୍ରାମ ର ବ୍ରାହ୍ମଣ ସେବାୟତ ଓ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Popular Articles